ଭୁବନେଶ୍ୱର: ଭାରତୀୟ ବୈଦେଶିକ ସେବାର ତିନି ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ବିଭିନ୍ନ ସରକାରୀ ଦିଗ, ଓଡ଼ିଶାର ବିକାଶ ଏବଂ ବିଶ୍ୱ ସ୍ତରରେ ଭାରତର କୂଟନୈତିକ ସମ୍ପର୍କ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ଲୋକସେବା ଭବନରେ ଆଇଏଫ୍ଏସ୍ ର ୨୦୦୦ ଏବଂ ୨୦୦୧ ବ୍ୟାଚର ତିନି ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ରୋମାନିଆରେ ଥିବା ରାଷ୍ଟ୍ରଦୂତ ତଥା ଆଇଏଫ୍ଏସ୍ ଡାକ୍ତର ମନୋଜ କୁମାର ମହାପାତ୍ର, ରିପବ୍ଲିକ୍ ସ୍ଲୋଭେନିଆରେ ଥିବା ରାଷ୍ଟ୍ରଦୂତ ଅମିତ ନାରଙ୍ଗ ଏବଂ ମାଲଟାର ଭାରତୀୟ ଉଚ୍ଚାୟୁକ୍ତ ଗ୍ଲୋରିଆ ଗାଙ୍ଗଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଭିନ୍ନ ସରକାରୀ ଦିଗ, ଓଡ଼ିଶାର ବିକାଶ ଏବଂ ବିଶ୍ୱ ସ୍ତରରେ ଭାରତର କୂଟନୈତିକ ସମ୍ପର୍କ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସେମାନଙ୍କର ନିରବଚ୍ଛିନ୍ନ ସେବା ଏବଂ ବିଦେଶରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗତ ଏକ ବର୍ଷ ଧରି ରାଜ୍ୟ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଏବଂ "ଲୋକଙ୍କ ମୁଖ୍ୟମନ୍ତ୍ରୀ" ନାଁ ପାଇବାକୁ ନେଇ ଆଇଏଫ୍ଏସ୍ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନକୁ ମଧ୍ୟ ପ୍ରଶଂସା କରିଛନ୍ତି । ୟୁରୋପୀୟ ଦେଶଗୁଡ଼ିକରେ ଯୁବକଯୁବତୀଙ୍କ ପାଇଁ ବଢ଼ୁଥିବା ଚାହିଦା ଉପରେ ସେମାନେ ଆଲୋକପାତ କରିବା ସହିତ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଉଛି । ସ୍କିଲ୍ଡ ଇନ୍ ଓଡ଼ିଶା ପଦକ୍ଷେପ ବିଶ୍ୱ ସ୍ତରରେ ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ପାଲଟିଛି ଏବଂ ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଦେଖାଯାଉଛି । ୟୁରୋପୀୟ ଦେଶଗୁଡ଼ିକରେ ଓଡ଼ିଶା ଏହାର ଆକାଂକ୍ଷୀ ଯୁବପିଢ଼ିଙ୍କ ପାଇଁ ଉତ୍ତମ ସୁଯୋଗ ଯୋଗାଇବ । ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ରାଜ୍ୟ ପାଇଁ ଅଧିକ ଗର୍ବ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି ସାକ୍ଷାତକାର ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା, ମୁଖ୍ୟମନ୍ତ୍ରୀ ପ୍ରମୁଖ ସଚିବ ଶାସ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।