ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି । ପରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଲୋକମାନେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ଜଗତସିଂହପୁର ଥାନାରେ ଆମ୍ବୁଲାନ୍ସକୁ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସର ଚାଳକ ଫେରାର ହୋଇଯାଇଛି ।