ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସହରଗୁଡ଼ିକ କ୍ୱାଡ୍ ସିଟି ଯୋଜନାରେ ନୂଆ ରୂପ ପାଇବ । ଭୁବନେଶ୍ୱର ଠାରୁ ନେଇ ବଡ଼ବିଲ୍ ଯାଏଁ ଅର୍ଥନୈତିକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସହର ଏଥିରେ ସ୍ଥାନ ପାଇବେ । ଖାଲି ସେତିକି ନୁହେଁ ନୂଆ ଭୁବନେଶ୍ୱର ନିର୍ମାଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀ ।
ସଚିବଙ୍କ ସୂଚନା ମୁତାବକ, ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କ୍ୱାଡ୍ ସିଟି ଯୋଜନାରେ ଭୁବନେଶ୍ୱରକୁ ଅର୍ଥନୈତିକ କ୍ଷେତ୍ରରେ ପରିଣତ କରାଯିବ । ଏଥିରେ ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦ୍ୱୀପ ସହର ସାମିଲ ହେବେ । ଏହା କେବଳ ଭୁବନେଶ୍ୱରରେ ସୀମିତ ରହିବ ନାହିଁ । ପରବର୍ତ୍ତୀ ସମୟରେ ଏଥିରେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁର, ରାଉରକେଲା ଓ ବଡ଼ବିଲ ସହର ଯେଉଁମାନେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେଉଛନ୍ତି, ତାହାକୁ କ୍ୱାଡ୍ ସିଟି ଯୋଜନାରେ ସାମିଲ କରାଯିବ ।
ସେହିପରି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା । ୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର ନିର୍ମାଣ କରାଯିବ । ଭୁବନେଶ୍ୱର ଉପକଣ୍ଠରେ ଥିବା ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ। ଏହି ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଚଲା ପଥ, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିବ । ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ପାଇଁ ଦାୟିତ୍ୱ ନେଇଛନ୍ତି। ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । ସିଙ୍ଗାପୁର ଡିପିଆର ପ୍ରସ୍ତୁତ କରୁଥିବାବେଳେ ଆବଶ୍ୟକ ଅର୍ଥ ଯୋଗ ଦିଆଯାଇଛି । ଆସନ୍ତା ଏକରୁ ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛୁ।