ମାଲକାନଗିରି: ଦୀର୍ଘ ୧୮ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ହେଲେ ଯୁବକ । ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା CRPF । ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଜଣେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସାବେରୀ ନଦୀର ପ୍ରଖର ସ୍ରୋତରେ ଯୁବକ ଜଣକ ଫସିଥିଲେ ।
ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ନଦୀର ପ୍ରଖର ସ୍ରୋତ ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଦୀର୍ଘ ୧୮ ଘଣ୍ଟା ପରେ ହେଲିକପ୍ଟର ସାହାଯ୍ୟରେ ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଯୁବକଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ସୁକମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ସୂଚନା ଯୋଗ୍ୟ, ଗତକାଲି ଯୁବକ ଜଣକ ସୁକମା ଜିଲ୍ଲା ତେଲବର୍ତ୍ତୀ ଗାଁକୁ ଡଙ୍ଗାରେ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଏହି ସମୟରେ ସାବେରୀ ନଦୀର ପ୍ରବଳ ସ୍ରୋତ ପାଇଁ ଡଙ୍ଗାରେ ପାଣି ପଶିଥିଲା ଏବଂ ତାହା ଓଲଟି ପଡିଥିଲା । ଏହି ଘଟଣାରେ ଯୁବକ ଜଣକ ସାହସ ରଖି ନଦୀର ଜଳସ୍ରୋତକୁ ଭୟ ନ କରି ଗଛୁବୁଦାକୁ ଜାବୁଡ଼ି ଧରିଥିଲେ। ବହୁ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରାଯାଇଛି ।