ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ଚାରି ଜଣ ଗିରଫ ହୋଇଛନ୍ତି। ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଂଟଲ୍ଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି I ଗିରଫ ବ୍ୟକ୍ତିମାନଙ୍କ ଭିତରୁ ୨ ଜଣ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି I ଏନେଇ ରାୟଗଡ଼ା ରେଞ୍ଜର କାମେଶ୍ୱର ଅଚାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଞ୍ଚଳଳର ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ମାତିନଗର ଅଞ୍ଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡ଼ାକୁ ବିକ୍ରି କରିବା ପାଇଁ ଯୋଗାଯୋଗରେ ରହିଥିଲେ I କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେI ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡ଼ା ବନ ବିଭାଗକୁ ସୂଚନା ଦେଇଥିଲେ I ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡ଼ା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ I ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ଜବତ ହୋଇଥିବା ଚମଡାରୁ ଉଭୟ ବାଘର ବୟସ ୫/୭ ବର୍ଷ ମଧ୍ୟରେ ରହିଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛି I ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଏ ସି ଏଫ ଅଶୋକ ପ୍ରଧାନ ସୂଚନା ଦେଇଛନ୍ତି I