ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ ପ୍ରାୟତଃ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ନେତା ମାନଙ୍କୁ ନେଇ ଏଭଳି ଏକ ବୟାନ୍ ଦେଇଛନ୍ତି, ଯାହା ଖବରର ଶିରୋନାମା ପାଲଟିଛି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗଡକରୀ କହିଛନ୍ତି, "ଯେଉଁ ବ୍ୟକ୍ତି ଲୋକଙ୍କୁ ସର୍ବୋତ୍ତମ ଭାବରେ ବୋକା ବନାଇପାରିବ, ସେ ସର୍ବୋତ୍ତମ ନେତା ହୋଇପାରିବେ।"
କେନ୍ଦ୍ରମନ୍ତ୍ରୀ ନିଜ ମତକୁ ବ୍ୟାଖା କରି କହିଛନ୍ତି, ‘ଏହା କହିବା ଅତି ସହଜ ହେଲେ କରିବା ଅତି କଷ୍ଟକର। ମୁଁ ଜଣେ ଅଧିକାରୀ ନୁହେଁ, ହେଲେ ଏ ବିଷୟରେ ମୁଁ ଅବଗତ। କାରଣ ମୁଁ ଯେଉଁ କ୍ଷେତ୍ରରେ କାମ କରେ, ସେଠାରେ ହୃଦୟର ସହିତ ସତ୍ୟ କହିବା ନିଷେଧ। ଏକ ମରାଠୀ ପ୍ରବାଦ - "ହାଓସେ, ନଭାସେ, ଗାୱସେ" (ପ୍ରତ୍ୟେକଙ୍କ ନିଜସ୍ୱ ଶୈଳୀ ଏବଂ ଉଦ୍ଦେଶ୍ୟ ଥାଏ) ଉଦ୍ଧୃତ କରି ସେ କହିଛନ୍ତି ଯେ, ଶେଷରେ, ଯେଉଁ ନେତା ଲୋକଙ୍କୁ ବୋକା ବନାଇ ପାରନ୍ତି ଏବଂ ସେମାନଙ୍କୁ ମନାଇ ପାରନ୍ତି ସେ ପ୍ରାୟତଃ ସଫଳ ହୁଅନ୍ତି।
କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ ଆହୁରି ମଧ୍ୟ ସତ୍ୟର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଭଗବାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାରେ ଲେଖିଛନ୍ତି ଯେ ସତ୍ୟ ହିଁ ସର୍ବୋଚ୍ଚ ବିଜେତା। ଏଥି ସହ ଗଡକରୀ ମଧ୍ୟ ସର୍ଟକଟ୍ ବିରୁଦ୍ଧରେ ସତର୍କ କରାଇଥିଲେ। ସେ କହିଥିଲେ ଯେ ଜିନିଷଗୁଡ଼ିକ ହାସଲ କରିବା ପାଇଁ ସର୍ଟକଟ୍ ବହୁତ ରାସ୍ତା ରହିଛି। ଆପଣ ନିୟମ ଭାଙ୍ଗିପାରିବେ, ଲାଲ ବତି ଡେଇଁପାରିବେ, କିମ୍ବା ଆଗକୁ ବଢ଼ିପାରିବେ, କିନ୍ତୁ ଜଣେ ଦାର୍ଶନିକ କହିଛନ୍ତି ଯେ, 'ସର୍ଟକଟ୍ ଆପଣଙ୍କୁ ଛୋଟ କରିଥାଏ।' ସେଥିପାଇଁ ସଚ୍ଚୋଟତା, ବିଶ୍ୱସନୀୟତା, ସମର୍ପଣ ଏବଂ ସତ୍ୟ ଭଳି ମୂଲ୍ୟବୋଧ ରହିଛି, ଯାହାର ସମାଜରେ ଅନେକ ଗୁରୁତ୍ୱ ରହିଛି।