କୋଲକାତା: ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ଭାରତୀୟ ଜନତା ପାର୍ଟି ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ । ଖବର ଅନୁଯାୟୀ, ଶୁକ୍ରବାର ଏ ସମ୍ବନ୍ଧରେ ବିଜେପିର ବଡ ବୈଠକ ହେବାକୁ ଯାଉଛି । ଏହା ପରେ ବିଧାୟକ ଦଳର ନେତାଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଗୃହ ମନ୍ତ୍ରୀ ଅମିତ ଶହ ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାୟିତ୍ୱ ଦେଇଛି । ବିଜେପି ପଶ୍ଚିମବଙ୍ଗରେ ୨୦୭ ସିଟ୍ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି ।
ଶୁକ୍ରବାର ବିଜେପିର ବିଧାୟକ ଦଳ ବୈଠକ ରାଜଧାନୀ କୋଲକାତାରେ ହେବାକୁ ଯାଉଛି । ଏନଡିଟିଭିର ରିପୋର୍ଟ ଅନୁସାରେ, ସୂତ୍ର ମୁତାବକ ଏହି ବେଠକରେ ଅଧିକାରୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇପାରେ । ସୂତ୍ର ଅନୁଯାୟୀ, ବିଜେପିର ରାଜ୍ୟ ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ପ୍ରସ୍ତାବ ରଖିବେ ଏବଂ ଶାହ ନାଁ ଘୋଷଣା କରିବେ ।
ପଶ୍ଚିମବଙ୍ଗ ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୭ ସିଟ୍ ଜିତି ଟିଏମସିକୁ ଶୋଚନୀୟ ଭାବେ ମାତ୍ ଦେଇଛି ବିଜେପି । ଏଥିସହ ରାଜ୍ୟରେ ଟିଏମସିର ୧୫ ବର୍ଷ ଶାସନର ଅନ୍ତ ଘଟିଛି । ପାର୍ଟି ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ପଦ ଘୋଷଣା କରିନାହିଁ । ମାତ୍ର ଗୃହମନ୍ତ୍ରୀ ଅମିତ ଶାହ ସହିତ ବରିଷ୍ଠ ନେତା ନିର୍ବାଚନ ପ୍ରଚାର ସମୟରେ ସଙ୍କେତ ଦେଇଥିଲେ ଯେ ପଶ୍ଚିମବଙ୍ଗର ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ସମିକ ଭଟ୍ଟାଚାର୍ଯ୍ୟ ସମେତ ଅନେକ ଆଉ କିଛି ନେତା ରହିଛନ୍ତି । ହେଲେ ଭବାନୀପୁରରେ ମମତାଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ମେ ୯ ତାରିଖରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବାକୁ ଯାଉଛି ।