ନୟାଗଡ : ଗଶେଶ ଭସାଣିରେ ତୁମୁଳକାଣ୍ଡ। ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଏହି ଅମାନୁଷିକ ଘଟଣା ଘଟିଛି। ତେବେ ମୃତକ ହେଲେ କରଡ଼ାପଲ୍ଲୀ ଗ୍ରାମର ହରିହର ସ୍ୱାଇଁ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା। କେଉଁ ଠାକୁର ଆଗରେ ଯିବେ ତାକୁ ନେଇ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା। ଏପରିକି ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ଏହି ସମୟରେ ଜଣେ ଯୁବକ କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିବା ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବା ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ। ଖବରପାଇ କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ପୋଲିସ ପଇଁତରା ମାରିବା ସହ ତଦନ୍ତ ଚଳାଇଛି।