ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜିଏସଟିକୁ ନେଇ ଏକ ବଡ଼ ଖବର ଆସିଛି । ଜିଏସଟି ଆଦାୟରେ ଗତବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷ ଅଗଷ୍ଟ ମାସର ଆୟ । ୨୦୨୫ ଅଗଷ୍ଟରେ ଜିଏସଟି ଆଦାୟ ୧, ୮୬, ୩୧୫ କୋଟି ଟଙ୍କା ହୋଇଛି । ଯାହାକି ଗତ ବର୍ଷର ଅଗଷ୍ଟ ମାସର ଜିଏସଟି ଆଦାୟଠାରୁ ୬.୫ ପ୍ରତିଶତ ଅଧିକ ଅଟେ । ୨୦୨୪, ଅଗଷ୍ଟରେ ୧, ୭୪, ୯୬୨ କୋଟି ଟଙ୍କା ଆଦାୟ ହୋଇଥିଲା । କେନ୍ଦ୍ର ସରକାର ସୋମବାର ଜିଏସଟି ଆଦାୟର ବିବରଣୀ ପ୍ରଦାନ କରିଛନ୍ତି । ସେହିପରି ଚଳିତ ବର୍ଷ ଜୁଲାଇରେ ୧.୯୬ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ମାସରେ ରାଜସ୍ୱ ୯.୬ ପ୍ରତିଶତ ବୃଦ୍ଧି ପାଇ ୧, ୩୬, ୯୬୨ କୋଟି ଟଙ୍କାରେ ପହଁଚିଛି । ଏଥିରେ କେନ୍ଦ୍ରୀୟ ଜିଏସଟିର ଅବଦାନ ୩୪,୦୭୬ କୋଟି ଟଙ୍କା, ରାଜ୍ୟର ୪୨, ୮୫୪ କୋଟି ଟଙ୍କା ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି) ଅନ୍ୟପକ୍ଷରେ ଆମଦାନୀ ଶୁଳ୍କ ୧.୨ ପ୍ରତିଶତ ହ୍ରାସ ପାଇ ୪୯, ୩୫୪ କୋଟି ଟଙ୍କା ହୋଇଛି । ଯେଉଁଥିରେ ସେସର ୮୦୭ କୋଟି ରହିଛି । ଯଦି ଆମେ ଜିଏସଟି ରିଫଣ୍ଡ ଉପରେ ନଜର ପକାଇବା, ତେବେ ଏହା ବର୍ଷସାରା ୨୦ ପ୍ରତିଶତ ହ୍ରାସ ପାଇ ୧୯,୩୫୯ କୋଟି ଟଙ୍କାରେ ପହଞ୍ଚିଛି। ଘରୋଇ କ୍ଷେତ୍ରରେ ହୋଇଥିବା ରାଜସ୍ୱ ଆଦାୟ କାରଣରୁ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି ।
ମାସକ ମଧ୍ୟରେ ଘରୋଇ ରିଫଣ୍ଡ ବାର୍ଷିକ ୨୧.୪ ପ୍ରତିଶତ ହ୍ରାସ ପାଇ ୧୧,୦୧୪ କୋଟି ଟଙ୍କା ଏବଂ ରପ୍ତାନି-ଆମଦାନୀ ବ୍ୟବସାୟ ଉପରେ ରିଫଣ୍ଡ ୧୭.୯ ପ୍ରତିଶତ ହ୍ରାସ ପାଇ ୮,୩୪୬ କୋଟି ଟଙ୍କା ହୋଇଛି । ଏହିପରି, ଅଗଷ୍ଟରେ ମୋଟ ରିଫଣ୍ଡ ପରିମାଣ ୧୯,୩୫୯ କୋଟି ଟଙ୍କା ଥିଲା ଯାହା ଗତ ବର୍ଷର ସମାନ ମାସର ରିଫଣ୍ଡ ତୁଳନାରେ ୧୯.୯ ପ୍ରତିଶତ କମ୍ । ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଅଗଷ୍ଟ ପର୍ୟ୍ୟନ୍ତ ପାଞ୍ଚ ମାସରେ, ଏଝଞ ରୁ ମୋଟ ମୋଟ ରାଜସ୍ୱ ପ୍ରାପ୍ତି ୯.୯ ପ୍ରତିଶତ ବୃଦ୍ଧି ପାଇ ୧୦,୦୪,୪୧୪ କୋଟି ଟଙ୍କା ଏବଂ ନିଟ୍ ରାଜସ୍ୱ ପ୍ରାପ୍ତି ୮.୮ ପ୍ରତିଶତ ବୃଦ୍ଧି ପାଇ ୮,୭୮,୦୯୬ କୋଟି ଟଙ୍କା ହୋଇଛି।
ତେବେ ଚଳିତ ବର୍ଷର ଅପ୍ରେଲ ମାସର ଜିଏସଟି ଆଦାୟ ରେକର୍ଡ ସ୍ଥାନରେ ରହିଛି । ଏପ୍ରିଲରେ ୨.୩୭ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା । ଜିଏସିଟ ଲାଗୁ ହେବା ପରଠାରୁ ଏହା ସର୍ବାଧିକ ଆଦାୟ ଅଟେ ।