ନୂଆଦିଲ୍ଲୀ: ଆଜି ସମଗ୍ର ଦେଶର ଲୋକଙ୍କ ନଜର ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଉପରେ ଥିଲା । ବିଶେଷ କରି ସେହି ଲୋକେ ଯେଉଁମାନେ ଘର କିଣିବାକୁ ଯୋଜନା କରୁଥିଲେ କିମ୍ବା ପୂର୍ବରୁ ହୋମ ଲୋନ ପରିଶୋଧ କରି ଚାଲିିଛନ୍ତି । ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ଏହା ସ୍ପଷ୍ଟ ହୋଇଛି ଯେ, ସଂପ୍ରତି ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଆରବିଆଇ ସୁଧହାର ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଅର୍ଥାତ ଲୋନ ମହଙ୍ଗା ହେବ ନାହିଁ ଏବଂ ଆପଣଙ୍କ ଇଏମଆଇ ମଧ୍ୟ ବଢିବ ନାହିଁ । ଏହାର ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ।
ଏହା ପୂର୍ବରୁ ଫେବୃଆରୀରେ ମଧ୍ୟ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଆରବିଆଇ ଶେଷ ଥର ୨୦୨୫ ଡିସେମ୍ବରରେ ସୁଧହାରରେ ୦.୨୫ ପ୍ରତିଶତରୁ ହ୍ରାସ କରି ୫.୨୫ ପ୍ରତିଶତ କରିଥିଲା । ଆରବିଆଇ ଏହି ହାରରେ ବ୍ୟାଙ୍କଗୁଡିକୁ ଲୋନ ଦେଇଥାଏ, ଯାହାକୁ କୁହାଯାଏ ରେପୋ ରେଟ୍ । ଯେବେ ଆରବିଆଇ ରେପୋ ରେଟ୍ ହ୍ରାସ କରେ, ବ୍ୟାଙ୍କ ଏହାର ଫାଇଦା ଗ୍ରାହକଙ୍କୁ ଦେଇଥାଏ।
ସୁଧହାର ହ୍ରାସ ନ କରାଯିବାର କାରଣ ?
ଆରବିଆଇ ଗଭର୍ଣ୍ଣରଙ୍କ ମୁତାବକ ଦରବୃଦ୍ଧିରେ ପୁଣି ଥରେ ବୃଦ୍ଧି ଘଟିବାର ବିପଦ ଏବେ ବି ଟଳିନି । ଖରାପ ପାଣିପାଗ ଓ ଅଦିନିଆ ବର୍ଷା କାରଣରୁ ଫଳ, ପନିପରିବା ଓ ଶସ୍ୟ ମହଙ୍ଗା ହେବାର ଆଶଙ୍କା ରହିଛି । ଇରାନ-ଆମେରିକା ଯୁଦ୍ଧ କାରଣରୁ ଯୋଗାଣ ଶୃଙ୍ଖଳ ଗୁରୁତର ଭାଭେ ପ୍ରଭାବିତ ହୋଇଛି ।
ଆରବିଆଇ ଏବେ ରୁହ ଏବଂ ଦେଖ ନୀତି ଆପଣେଇଛି । ବୈଶ୍ୱିକ ବଜାରରେ ଅସ୍ଥିରତାକୁ ଦେଖି ଆରବିଆଇ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁ ନାହିଁ । ବ୍ୟାଙ୍କ ଏବେ ସମଗ୍ର ଦୁନିଆର ଆର୍ଥିକ ଅବସ୍ଥା ଉପରେ ନଜର ରଖିବାକୁ ଚାହୁଁଛି । ଏହି କାଣରୁ ସୁଧହାରରେ କୌଣସି ପରିବର୍ତ୍ତନ କରିନି । ସୂଚନାଯୋଗ୍ୟ, ଗତ ବର୍ଷ ରେପୋ ରେଟରେ ୪ ଥର ପରିବର୍ତ୍ତନ କରାଯାଇଥିଲା ।