ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର ୨୮୨ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ।
ତିନୋଟି ପ୍ରମୁଖ ବିଭାଗ ଯଥା- ଶକ୍ତି ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଡିଶା ଖଣି ନିଗମରେ ୨୮୨ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ଵାସ୍ଥ୍ୟ ବିଭାଗରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶକଙ୍କ ଅଧିନରେ ୩୧ ଜଣ ଜୁନିୟର କ୍ଲର୍କ କମ ଟାଇପିଷ୍ଟ, ଆୟୁଷ ନିର୍ଦ୍ଦେଶକଙ୍କ ଅଧିନରେ ୧୯ ଜଣ ଆୟୁର୍ବେଦ ଅଧ୍ୟାପକ ଓ ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟରେ ୫୪ ଜଣ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି ଏବଂ ସେହିପରି ଓଡିଶା ଖଣି ନିଗମରେ କନିଷ୍ଠ ଯନ୍ତ୍ରୀ ମେକାନିକାଲ ୧୯, କନିଷ୍ଠ ଯନ୍ତ୍ରୀ ଇଲେକ୍ଟ୍ରିକାଲ ୧୪, କନିଷ୍ଠ ଯନ୍ତ୍ରୀ ସିଭିଲ ୧୬, କନିଷ୍ଠ ଫାର୍ମାସିଷ୍ଟ ୯ ଏବଂ ଇଲେକ୍ଟ୍ରିସିଆନ ୩୦ ଜଣଙ୍କୁ ନିଯୁକ୍ତି ମିଳିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଜର ପ୍ରତିଭା, ଦକ୍ଷତା, ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଏବଂ ନିଜର ଯୋଗ୍ୟତା ଆଧାରରେ ଏହି ସୋପାନକୁ ଅତି ସଫଳତାର ସହିତ ଅତିକ୍ରମ କରିପାରିଛନ୍ତି । କେବଳ ଏକ ସରକାରୀ ଚାକିରୀ ନୁହେଁ ବରଂ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଏକ ସୁବର୍ଣ୍ଣ ସୁଯୋଗ । ରାଷ୍ଟ୍ର ନିର୍ମାଣ ଓ ଜନସେବାରେ ଆପଣମାନେ ଜଡ଼ିତ ରହି ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ସର୍ବଦା ତତ୍ପର ରୁହନ୍ତୁ। ନିଜକୁ ଜନସେବା ଓ ରାଷ୍ଟ୍ର ଗଠନରେ ସମର୍ପି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସରକାରୀ କର୍ମଚାରୀ ଭାବରେ, ଆପଣମାନଙ୍କ କାର୍ଯ୍ୟକଳାପ ଦ୍ବାରା ସରକାରୀ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ରହିଥିବା ଲୋକଙ୍କ ବିଶ୍ୱାସ ଯେପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଛୁଆ, ଅବହେଳିତ, ଆଦିବାସୀ, ଦଳିତ ସଂପ୍ରଦାୟକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କର ଉତ୍ଥାନ ଦିଗରେ ନିଜର ପ୍ରୟାସ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ଵାସ୍ଥ୍ୟ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍. , ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।