ଗାଧେଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ଦୁଇଜଣ ନାବାଳିକାଙ୍କ ଜୀବନ। ତେବେ ମୃତ ନାବାଳିକା ଦୁଇଜଣ ସଂପର୍କୀୟ ଭଉଣୀ ବୋଲି ଜଣାପଡିଛି। ଏଭଳି ଦୁଃଖଦପୁର୍ଣ ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁର ଡାହି ସାହିରେ ଘଟିଛି। ଏହି ଦୁର୍ଘଟଣା ପରେ ପ୍ରତାପପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ମୁତବକ, ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁର ଡାହି ସାହିରେ ପୋଖରୀକୁ ଗାଧେଇବା ପାଇଁ ଦୁଇଜଣ ନାବାଳିକା ଯାଇଥିଲେ। ହେଲେ ଗାଧେଇବା ବେଳେ ସାମାନ୍ୟ ଅସାବଧାନତା କାରଣରୁ ଦୁଇଜଣ ନାବାଳିକା ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇ ନାବାଳିକା ଡାହି ସାହିର ସଂପର୍କୀୟ ଭଉଣୀ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।