ଭୁବନେଶ୍ୱର : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।
ଆଜି ରାଜ୍ୟ ଅତିଥି ଭବନରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ପାଇଁ ଗଠିତ ଶୀର୍ଷ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୮୭ ଜାନୁଆରୀ ୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।
ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ ଦଳମତ ନିର୍ବିଶେଷରେ ତାଙ୍କର ଜୟନ୍ତୀକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରଭାବଶାଳୀ ଭାବରେ ଏକ ବର୍ଷ ବ୍ୟାପୀ ପାଳନ କରାଯିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଡଃ ମହତାବ ଓଡିଆ ଲୋକମାନଙ୍କର ସାମୁହିକ ଅଭିବ୍ୟକ୍ତି ଥିଲେ। ଯେହେତୁ ୨୦୩୬ରେ ଓଡିଶା ୧୦୦ ବର୍ଷ ପୂରଣ କରିବାକୁ ଯାଉଛି, ତେଣୁ ଆଗାମୀ ଦଶ ବର୍ଷ ପାଇଁ ‘ଓଡିଆ ଜାତୀୟତାବାଦ’ର ପ୍ରସାର କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଉତ୍କଳ ବିଶ୍ବ ବିଦ୍ୟାଳୟରେ ‘ମହତାବ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ ଡଃ ମହତାବଙ୍କ ଜୀବନର ଚାରିଟି ସ୍ବତନ୍ତ୍ର ଦିଗ ରହିଛି। ଡଃ ମହତାବଙ୍କ ରଚିତ ବିଭିନ୍ନ ନାଟକ ଗୁଡିକୁ ବର୍ଷ ସାରା ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଜାତୀୟ କଂଗ୍ରେସ ଦଳର ପ୍ରତିନିଧୀ ଶ୍ରୀ ଶିବାନନ୍ଦ ରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଫସର କିଶୋର କୁମାର ବାସା, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ସମ୍ପାଦକ ପ୍ରଫେସର ଉପେନ୍ଦ୍ର ପାଢୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜୟନ୍ତୀ ସମାରୋହ ପାଳନକୁ ସ୍ମରଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।