କେନ୍ଦ୍ରାପଡା : ବନ୍ୟା ବିଭୀଷିକା ଭିତରେ ଲୋକଙ୍କୁ କୁମ୍ଭୀର ଭୟ । ବର୍ତ୍ତମାନ କେନ୍ଦ୍ରାପଡ଼ାରେ ବନ୍ୟା ପରିସ୍ଥିତି ଭିତରେ କୁମ୍ଭୀର ପାଇଁ ଭୟଭୀତ ଅଞ୍ଚଳବାସୀ । ପଟ୍ଟାମୁଣ୍ଡାଇ ବ୍ଲକ ଚଉଦ କୁଲାଟ ଅଞ୍ଚଳରେ କୁମ୍ଭୀର ବୁଲୁଛନ୍ତି । ବ୍ରାହ୍ମଣୀ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ବନ୍ୟା ପାଇଁ ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ କୁମ୍ଭୀର ଗାଁ ଭିତରେ ବୁଲୁଥିବା ନଜର ଆସିଛି। ଭୟରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ରାତିରେ ଗାଁ ଲୋକ ଘରୁ ବାହାରିବା ମୁସ୍କିଲ ହୋଇପଡିଛି।
କେନ୍ଦ୍ରାପଡ଼ା ବ୍ରାହ୍ମଣୀ ,ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିଛି । ଫଳରେ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବିଶେଷ କରି ଧୋଇଆ ଅଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଧୋୟା ଅଞ୍ଚଳକୁ ସଂଯୋଗ କରୁଥିବା ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୭ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଗାଁ ଦାଣ୍ଡରେ ଡଙ୍ଗା ଚାଲୁଥିବା ବେଳେ, ହଜାର ହଜାର ଏକର ଚାଷ ଜମି ବୁଡିରହିଛି। ୩ ଦିନ ହେବ ବନ୍ୟାପାଣି ଘେରରେ ଅନେକ ଗାଁ ଥିବା ବେଳେ, ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଏପଟେ ବ୍ରାହ୍ମଣୀରେ ବଢି ପାଣି ଆସିବାରୁ ରାଜନଗର ଅଞ୍ଚଳର ୫ଟି ପଚାୟତରେ ବନ୍ୟା ହୋଇଛି । ପ୍ରାୟ ୩୦ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ବନ୍ୟା ବିପନ୍ନ ଲୋକେ ଦିନ କାଟୁ ଥିବା ବେଳେ ରାତି ହେଲେ କୁମ୍ଭୀର ଭୟ ଘାରୁଛି । ଏଣୁ ଠେଙ୍ଗାବାଡି ଧରି ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ସାରା ଗାଁ ଲୋକ ।