ଡେଭିସ୍ କପ: ଲିଆଣ୍ଡର ପେସଙ୍କ ରେକର୍ଡ଼ ୪୪ତମ ବିଜୟ, ପାକିସ୍ତାନକୁ ମାତ୍ ଦେଲା ଭାରତ
Khabar Odisha:sports--tennis--odisha-paes-improves-his-davis-cup-record-by-defeating-pakistan-in-india-world-group-qualifie
ନୁର ସୁଲତାନ, ନଭେମ୍ବର୩୦(ଖବର ଓଡ଼ିଶା):

 ଅନୁଭବି  ଟେନିସ୍ ତାରକା ଲିଆଣ୍ଡର ପେସ ନିଜର ଡେଭିସ୍ କପ ରେକର୍ଡ଼ର ସଫଳତାକୁ ଜାରି ରଖି ଜୀବନ ନେନ୍ଦୁଚେଝିୟାନଙ୍କ ସହିତ ନିଜର ୪୪ତମ ଡବଲ ମ୍ୟାଚ୍ ଜିତିଛନ୍ତି। ତାଙ୍କର ଏହି ବିଜୟ ବଳରେ ଭାରତ ପାକିସ୍ତାନକୁ ୪-୦ରେ ହରାଇ ୨୦୨୦ କ୍ଵାଲିଫାୟର ଲାଗି ସ୍ଥାନ ସୁନିଶ୍ଚିତ କରିଛନ୍ତି। ପାକିସ୍ତାନର ମହମ୍ମଦ ସୋଏବ ଓ ହୁଫୈଜା ଅବଦୁଲ ରହମାନଙ୍କ ଯୋଡ଼ି ପେସ ଓ ଜୀବନଙ୍କ ଯୋଡ଼ି ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଭାରତୀୟ ଯୋଡ଼ି ମାତ୍ର ୫୩ ମିନିଟରେ ପାକ୍ ଯୋଡ଼ିକୁ ସିଧାସଳଖ ୬-୧, ୬-୩ରେ ପରାସ୍ତ କରିଛନ୍ତି। ଗତ ବର୍ଷ ନିଜର ୪୩ ତମ ଡବଲ ମ୍ୟାଚ୍ ଜିତି ଡେଭିସ୍ କପ ଇତିହାସରେ ସଫଳତମ ଖେଳାଳି ହୋଇଥିବା ପେସ୍ ଇଟାଲୀର ନିକୋଲାଙ୍କୁ ପଛରେ ପକାଇଛନ୍ତି।

ପେସ୍ ଗତ ବର୍ଷ ୫୬ତମ ମୁକାବିଲାରେ ୪୩ତମ ବିଜୟ ହାସଲ କରିଥିଲେ, ଅନ୍ୟପଟେ ନିକୋଲା ୬୬ଟି ମ୍ୟାଚରୁ ୪୨ଟି  ଜିତିଥିଲେ। ବିଜୟ ପରେ ପେସ୍ କହିଛନ୍ତି ଯେ, ଜୀବନଙ୍କ ପ୍ରଥମ ଡେଭିସ୍ କପ ମ୍ୟାଚରେ ତାଙ୍କ ସହିତ ଖେଳିବା ଅଲଗା ଅନୁଭୂତି ଥିଲା। ଦେଶ ଲାଗି ଖେଳିବାରେ ଜୀବନ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି। ପେସଙ୍କ ୪୪ ବିଜୟର ରେକର୍ଡ଼ ଶୀଘ୍ର ଭଙ୍ଗ ହେବାର ସମ୍ଭାବନା ନାହିଁ, କାରଣ ତାଙ୍କ ବ୍ୟତୀତ ସଂପ୍ରତି କୌଣସି ଯୁଗଳ ବର୍ଗର ଖେଳାଳି ଶୀର୍ଷ ୧୦ରେ ନାହାନ୍ତି। ବେଲାରୁସର ମ୍ୟାକ୍ସ ମିରନୀ ତୃତୀୟରେ ଅଛନ୍ତି। ତାଙ୍କ ନାମରେ ୩୬ଟି ବିଜୟ ରହିଛି, ମାତ୍ର  ସେ ୨୦୧୮ରୁ ଟୁରରେ ଖେଳୁ ନାହାନ୍ତି। 

ଏବେ କ୍ରୋଏସିଆ ସହିତ ମୁକାବିଲା

ଏବେ ଯୋଗ୍ୟତାପର୍ଯ୍ୟାୟରେ ଭାରତର ମୁକାବିଲା କ୍ରୋଏସିଆ ସହିତ ହେବ ଏବଂ ଏହି ମ୍ୟାଚ୍ ମାର୍ଚ୍ଚ ୬  ଓ ୭ ତାରିଖରେ ଖେଳାଯିବ। ଡେଭିସ୍ କପ ଫାଇନାଲରେ ୧୨ ଯୋଗ୍ୟତା ସ୍ଥାନ ଲାଗି ୨୪ଟି ଦଳ ପରସ୍ପର ମଧ୍ୟରେ ମୁକାବିଲା କରିବେ। ପରାସ୍ତ ହେବାକୁ ଥିବା ୧୨ଟି ଦଳ ୨୦୨୦ ସେପ୍ଟେମ୍ବରରେ ବିଶ୍ଵ ଗ୍ରୁପ ଓ୍ଵାନ ଖେଳିବେ। ବିଜେତା ଦଳ ଡେଭିସ୍ କପ ଫାଇନାଲ ଖେଳିବ। କାନାଡ଼ା, ବ୍ରିଟେନ, ରୁଷ, ସ୍ପେନ, ଫ୍ରାନ୍ସ ଓ ସର୍ବିଆ ପୂର୍ବରୁ ଯୋଗ୍ୟତାଅର୍ଜନ କରି ସାରିଛନ୍ତି।

Subscribe

National International State Sports Entertainment