ଦ୍ଵିତୀୟ ଟି ୨୦ ଉପରେ 'ମହା'ର ପ୍ରଭାବ, ଜାଣନ୍ତୁ ମ୍ୟାଚ୍ ସମୟରେ କେମିତି ରହିବ ପାଗ
Khabar Odisha:sports--cricket--odisha-india-vs-bangladesh-2nd-t20-clear-and-sunny-sky-with-warning-of-maha-cyclone
ରାଜକୋଟ୍,ନଭେମ୍ଵର୦୬(ଖବର ଓଡ଼ିଶା):

 ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରାଜକୋଟରେ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚରେ ହାରିବା ପରେ ଦ୍ଵିତୀୟ ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମାତ୍ର ମ୍ୟାଚ୍ ଉପରେ ବାତ୍ୟା ମହାର ବିପଦ ରହିଛି। ଏହି କାରଣରୁ ଗୁରୁବାର ରାଜକୋଟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ସାମୁଦ୍ରିକ ଝଡ଼ ମହା ସଂପ୍ରତି ଆରବ ସାଗର ଉପରେ ରହିଛି। ଗୁରୁବାର ସକାଳ ସୁଦ୍ଧା ବାତ୍ୟା ମହା ଗୁଜରାତ ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ବୁଧବାର ରାଜକୋଟ୍ ଲାଗି ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଦିନରେ ବର୍ଷା ହେଲେ ମଧ୍ୟ ସନ୍ଧ୍ୟାରେ ଆକାଶ ସ୍ଵଚ୍ଛ ରହିପାରେ, ଯାହା ମ୍ୟାଚ୍ ଲାଗି ରାସ୍ତା ଖୋଲିପାରେ। ମ୍ୟାଚ୍ ବେଳେ ଆକାଶ ମେଘୁଆ ରହିପାରେ। ତାପମାତ୍ରା ପାଖାପାଖି ୨୬ ଡିଗ୍ରୀ ସେଲସିୟସ୍ ଯାଏ ରହିପାରେ। ବୁଧବାର ମଧ୍ୟ ରାଜକୋଟରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଥିଲା, ମାତ୍ର ଆଜି ଅପରାହ୍ନରେ ଆକାଶ ସ୍ଵଚ୍ଛ ରହିବା ଦେଖିବାକୁ ମିଳିଥିଲା, ଯାହା କ୍ରିକେଟ୍ ପ୍ରେମୀଙ୍କ  ଲାଗି ଖୁସିର ଖବର।

ମ୍ୟାଚ୍ ସୁଦ୍ଧା ପଡ଼ିଆକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ରଖାଯିବ। ରାଜକୋଟର ଏହି ପଡ଼ିଆ ରନ ବର୍ଷା ଲାଗି ପରିଚିତ। କିନ୍ତୁ ବର୍ଷା ହେଲେ ପଡ଼ିଆ ଧିମା ରହିପାରେ, ଯାହା ବଲ ସୀମାରେଖାକୁ ଯିବା ମୁସ୍କିଲ ହୋଇଥାଏ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଡିୟୁ ନିକଟରେ ଗୁଜରାତ ଉପକୂଳରେ ପ୍ରବେଶ କରିବା ପୂର୍ବରୁ ବାତ୍ୟା ମହା ଦୁର୍ବଳ ହୋଇପାରେ। ଏହି ସମୟରେ ପବନ ଘଣ୍ଟା ପ୍ରତି ୯୦ କିମି ବେଗରେ ବହିପାରେ। ସାମୁଦ୍ରିକ ଝଡ଼ ମହା ସଂପ୍ରତି ପୋରବନ୍ଦର କୂଳରୁ ପ୍ରାୟ ୬୦୦ କିମି ଦୂରରେ ରହିଛି।

Subscribe

National International State Sports Entertainment