ଭାରତ ବନାମ ବାଂଲାଦେଶ: ବାତ୍ୟା ‘ମହା’ ମଧ୍ୟରେ କ୍ରିକେଟ୍ ପ୍ରଶଂସକଙ୍କ ଲାଗି ଖୁସିର ଖବର
Khabar Odisha:sports--cricket--odisha-ind-vs-ban-rajkot-t20i-sca-stadium-is-well-prepared-for-the-t20-match
ରାଜକୋଟ୍,ନଭେମ୍ବର୦୭(ଖବର ଓଡ଼ିଶା):

 ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରଥମ ଟି-୨୦ରେ ଭାରତକୁ ପରାସ୍ତ କରି ବାଂଲାଦେଶ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ସବୁଠୁ ବଡ଼ କଥା ରାଜକୋଟରେ ପାଣିପାଗ ଭଲ ରହିଛି। ମ୍ୟାଚ୍ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ରାଜକୋଟ ସହର ଉପରେ ବାତ୍ୟା ମହାର କୌଣସି ପ୍ରଭାବ ନାହିଁ। 

ସୌରାଷ୍ଟ୍ର  କ୍ରିକେଟ୍ ସଂଘ ଟ୍ଵିଟ୍ କରି ସୂଚନା ଦେଇଛି ଯେ, ବର୍ତ୍ତମାନ ଏଠାକାର ପାଣିପାଗ କ୍ରିକେଟ୍ ଲାଗି ଅନୁକୂଳ ରହିଛି। ରାଜକୋଟରେ ଆଜି ଖରା କାଟୁଛି ଓ ପୂରା ଷ୍ଟାଡ଼ିୟମ ସୂର୍ଯ୍ୟାଲୋକରେ ଖେଳି ଯାଇଛି। ଭାରତୀୟ ପାଣିପାଗ ବିଭାଗ ଭବିଷ୍ୟତବାଣୀ କରିଥିଲା ଯେ ସାମୁଦ୍ରିକ ଝଡ଼ ମହା ପୋରବନ୍ଦର ଓ ଡିୟୁ ମଧ୍ୟରେ ଗୁରୁବାର ସକାଳେ ବାତ୍ୟା ରୂପେ ଗୁଜରାତରେ ପ୍ରବେଶ କରିବ। କିନ୍ତୁ ରାଜକୋଟ୍ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

ଭାରତ ଲାଗି ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଏହି ମ୍ୟାଚ୍ ଭାରତ ଜିତି ନିଏ ତେବେ ୧୦ ତାରିଖରେ ନାଗପୁରରେ ହେବାକୁ ଥିବା ମ୍ୟାଚର ରୋମାଞ୍ଚ ଆହୁରି ବଢ଼ିଯିବ। ଏଥିପାଇଁ ଆଜି ମ୍ୟାଚରେ ଭାରତକୁ ସବୁ କ୍ଷେତ୍ରରେ ସନ୍ତୁଳିତ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ମ୍ୟାଚରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଆଶା ଅନୁରୂପ ପ୍ରଦର୍ଶନ କରିପାରିନଥିଲା। 

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ଅଧିନାୟକ ଭାର ସମ୍ଭାଳୁଛନ୍ତି। ପ୍ରଥମ ମ୍ୟାଚରେ ରୋହିତ ଶୀଘ୍ର ଆଉଟ୍ ହେବାରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ  ହୋଇଥିଲା। ଓପନର ଶିଖର ଧାଓ୍ଵନ ୪୨ ବଲରୁ ୪୧ ରନ କରିଥିଲେ ମଧ୍ୟ ଟି-୨୦ ଦୃଷ୍ଟିରୁ ଏହା ଧିମା ପାଳି ଥିଲା। 

ଲୋକେଶ ରାହୁଲ ଫର୍ମ ଫେରିବାକୁ ସଂଘର୍ଷ କରୁଛନ୍ତି। ଋଷଭ ପନ୍ତଙ୍କ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିନାହିଁ।  ସେ ଚାପରେ ରହି ଖେଳୁଥିବା ସ୍ପଷ୍ଟ ନଜର ଆସିଥିଲା। ପଦାର୍ପଣ କରିଥିବା ଶିବମ ଦୁବେ ମଧ୍ୟ ବିଫଳ ହୋଇଥିଲେ। ଆଜିର ମ୍ୟାଚ୍ ଲାଗି ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ନିମ୍ନ କ୍ରମରେ ଦଳ କୃଣାଲ ପାଣ୍ଡ୍ୟାଙ୍କଠୁ ବିସ୍ଫୋରକ ବ୍ୟାଟିଂ ଆଶା କରୁଛନ୍ତି। 

ବୁମରା ଓ ଭୁବନେଶ୍ଵରଙ୍କ ଅନୁପସ୍ଥିତିରେ ଦଳର ଦ୍ରୁତ ବୋଲର ଆକ୍ରମଣ ଦୁର୍ବଳ ଲାଗୁଛି। ଏମିତିରେ ଏଠାରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦୀପକ ଚହରଙ୍କ ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇପାରେ। ଅନ୍ୟପଟେ ଅନୁଭବୀ ୟୁଜବେନ୍ଦ୍ର ଚହଲଙ୍କୁ କେବଳ ରନ ଉପରେ ଅଙ୍କୁଶ ଲଗାଇଲେ ହେବ ନାହିଁ ଓ୍ଵିକେଟ୍ ନେବାକୁ ମଧ୍ୟ ପଡ଼ିବ। 

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, କୃଣାଲ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର।

Subscribe

National International State Sports Entertainment