ପୁଣି ହାରିଲା ଭାରତ, ଦ୍ଵିତୀୟ ଦିନିକିଆକୁ ୨୨ ରନରେ ଜିତି ଶୃଙ୍ଖଳାରେ ୨-୦ ଅଗ୍ରଣୀ ହାସଲ କଲା ନ୍ୟୁଜିଲାଣ୍ଡ
Khabar Odisha:sports--cricket--odisha-New-Zealand-won-by-22-runs-against-india
ଅକଲାଣ୍ଡ, ଫେବୃଆରୀ୦୮(ଖବର ଓଡ଼ିଶା):

ଫର୍ମରେ ଥିବା ରସ୍  ଟେଲରଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଦମରେ ଘରୋଇ ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟେଲରଙ୍କ ଅପରାଜିତ(୭୩) ଓ ମାର୍ଟିନ ଗୁପଟିଲ(୭୯)ଙ୍କ ସହାୟତାରେ ୮ ଓ୍ଵିକେଟ୍ ବିନିମୟରେ ୨୭୩ ରନ କରିଥିଲା। ଜବାବରେ ଭାରତ ଲକ୍ଷ୍ୟର ପିଛା କରି ରବିନ୍ଦ୍ର ଜାଡ଼େଜା(୫୫), ଶ୍ରେୟସ ଆୟର(୫୨) ଓ ନବଦୀପ ସାଇନି(୪୫) ସତ୍ଵେ ୪୮.୩ ଓଭରରେ ୨୫୧ ରନରେ ଅଲଆଉଟ୍ ହୋଇଥିଲା। ଶୃଙ୍ଖଳାର ତୃତୀୟ ମୁକାବିଲା ଫେବୃଆରୀ ୧୧ରେ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯିବ। 

ଲକ୍ଷ୍ୟର ପିଛା କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୨୧ ରନ ସ୍କୋରରେ ମୟଙ୍କ ଅଗ୍ରଓ୍ଵାଲ(୩) ଆଉଟ୍ ହୋଇଥିଲେ। ପୃଥ୍ଵୀ ସ(୨୪) ସେଟ୍ ହେବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି(୧୫) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଫର୍ମରେ ଥିବା ଲୋକେଶ ରାହୁଲ(୪) ଆଉଟ୍ ଦଳକୁ ବଡ଼ ଝଟକା ଲାଗିଥିଲା। କେଦାର ଯାଦବ ମଧ୍ୟ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ୯୬ ରନରେ ଭାରତ ଅଧା ବ୍ୟାଟସମ୍ୟାନଙ୍କୁ ହରାଇଥିଲା।

ଅନ୍ୟପଟେ କ୍ରିଜରେ ଜମିଥିବା ଶ୍ରେୟସ ଆୟର ଏହି ମ୍ୟାଚରେ ମଧ୍ୟ ଉପଯୋଗୀ ବ୍ୟାଟିଂ କରିଥିଲେ। ସେ ଦିନିକିଆ କ୍ୟାରିୟରରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର ୧୨୯ ସ୍କୋରରେ ଶ୍ରେୟସ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ସେ ୫୭ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୫୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶାର୍ଦ୍ଦୁଳ ଠାକୁର(୧୮) ରୂପେ ଦଳକୁ ସପ୍ତମ ଝଟକା ଲାଗିଥିଲା। ୧୫୩ ରନରେ ୭ ଓ୍ଵିକେଟ୍ ହରାଇବା ପରେ ଭାରତ ପରାଜୟ ନିଶ୍ଚିତ ଲାଗୁଥିଲା। 

ରବିନ୍ଦ୍ର ଜାଡ଼େଜା ଓ ନବଦୀପ ସାଇନି ଦଳର ବ୍ୟାଟିଂ ଭାର ସମ୍ଭାଳି ଦଳର ବିଜୟ ସମ୍ଭାବନା ଉଜ୍ଜିବୀତ ରଖିଥିଲେ। ଉଭୟ କ୍ଵିଓ୍ଵି ବୋଲରଙ୍କ ସଂର୍ଘ କରି ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଜାଡେଜାଙ୍କୁ ସାଇନି ଉପଯୁକ୍ତ ସହାୟତା ଯୋଗାଇଥିଲେ। ମାତ୍ର ୨୨୯ ରନ ସ୍କୋରରେ ସାଇନି ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ୍ ହେବା ଭାରତକୁ ଶକ୍ତ ଧକ୍କା ଲାଗିଥିଲା। ସାଇନି ୪୯ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୪୫ ରନର ବେଶ୍ ପ୍ରଶଂସନୀୟ ପାଳି ଖେଳିଥିଲେ। ସାଇନି ଅଷ୍ଟମ ଓ୍ଵିକେଟରେ ଜାଡ଼େଜାଙ୍କ ସହ ମିଶି ୭୬ ରନ ଯୋଡ଼ିଥିଲେ।  ଜାଡ଼େଜା ଦିନିକିଆ କ୍ରିକେଟରେ ୧୨ତମ ଅର୍ଦ୍ଧଶତକ ପୂରଣ କରିଥିଲେ ମଧ୍ୟ ଦଳର ବିଜୟ ପାଇଁ ପର୍ୟ୍ୟା଼ପ୍ତ ହୋଇନଥିଲା। ଜାଡ଼େଜା ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଏଥି ସହ ଭାରତ ୪୮.୩ ଓଭରରେ ୨୫୧ ରନରେ ଅଲଆଉଟ୍ ହୋଇ ୨୨ ରନରେ ପରାଜିତ ହୋଇଥିଲା। ଜାଡ଼େଜା ୭୩ ବଲରୁ ୨ ଚୌକା ଓ ୧ ଛକା ଜରିଆରେ ୫୫ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି, କାଏଲ ଜେମିସନ, କୋଲିନ ଡି ଗ୍ରାଣ୍ଡହୋମ୍ ଓ ହାମିସ ବେନେଟ୍ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ନିଶାନ ଗୋଟିଏ ସଫଳତା ପାଇଥିଲେ।

Subscribe

National International State Sports Entertainment