ବାରବାଟୀ ଲଢ଼େଇ: ଦେଢ ଘଣ୍ଟାରେ ଶେଷ ହୋଇଗଲା ଅନଲାଇନ୍ ଟିକେଟ୍
Khabar Odisha:sports--cricket--odisha--ind-vs-wi-oneday-match-barabati-stadium-online-ticket-finished
କଟକ, ଡିସେମ୍ବର୦୫(ଖବର ଓଡ଼ିଶା):

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମୁକାବିଲା ଡିସେମ୍ବର ୨୨ରେ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଷ୍ଟାଡିୟମରେ ବସି କ୍ରିକେଟର ମଜା ନେବାକୁ ପ୍ରଶଂସକ ମଧ୍ୟରେ ଆଗ୍ରହ ଏତେ ଚରମରେ ପହଞ୍ଚିଛି ଯେ, ଅନଲାଇନରେ ବିକ୍ରି ହେବାକୁ ଥିବା ଟିକେଟ୍ ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଶେଷ ହୋଇ ଯାଇଛି। ଫଳରେ ବହୁ କ୍ରିକେଟ୍ ପ୍ରେମୀ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। ଏବେ ସେମାନେ କେବଳ ୧୯ରୁ ଷ୍ଟାଡିୟମ କାଉଣ୍ଟରରୁ ଟିକଟ୍ ଲାଗି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ। 

ମାତ୍ର ଦେଢ଼ ଘଣ୍ଟାରେ ଅନଲାଇନ ପାଇଁ ଉଦ୍ଦିଷ୍ଟ ୮ ହଜାର ଟିକେଟ୍ ଶେଷ ହୋଇ ଯାଇଛି। ଅନଲାଇନ୍ www.paytm.com ଓ www.insider.in ଟିକେଟ୍ ବିକ୍ରି ହୋଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୫ରେ ଅନଲାଇନରେ ୯୩୧୦ ଟିକେଟ୍ ବିକ୍ରି କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ପରେ ୮୧୫୦ ଟିକେଟ୍ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ଯାହା ଅନଲାଇନ ଆରମ୍ଭ ହେବା ମାତ୍ରେ ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଟିକେଟ୍ ଶେଷ  ହୋଇ ଯାଇଛି। 

ଏଥର ତିନି ନମ୍ବର ପାଇଁ ଅନଲାଇନ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯାଇନଥିଲା। ଗ୍ୟାଲେରୀ ନମ୍ବର ୨ ଓ ୪ର ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ଉଭୟ ଗ୍ୟାଲେରୀର ୩୦୦୦ ଲେଖାଏଁ ଟିକଟ୍ ଅନଲାଇନରେ ବିକ୍ରି  ହୋଇ ଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ୬ ନମ୍ବର ଗ୍ୟାଲେରୀର ଟିକଟ୍ ମୂଲ୍ୟ ୪୦୦ ଟଙ୍କା ରହିଥିବା ବେଳେ ଏହାର ମୋଟ୍ ୧୫୦୦ ଟିକଟ୍ ବିକ୍ରି କରାଯାଇଛି। ଏହି ଗ୍ୟାଲେରୀ ପାଇଁ ଜିଏସଟି ଦେବାକୁ ପଡ଼ିନାହିଁ। 

ସେହି ପରି ନ୍ୟୁ ପାଭିଲିୟନର ୫୦ଟି ଟିକଟ୍ ଅନଲାଇନରେ ବିକ୍ରି ହୋଇ ଯାଇଛି। ସ୍ପେଶିଆଲ ଏନକ୍ଲୋଜର ଏ ବ୍ଲକ ପାଇଁ ୫୦୦ ଟିକେଟ୍ ଅନଲାଇନରେ ବିକ୍ରି ହୋଇଛି। ଏହାର ମୂଲ୍ୟ ୩୦୦୦ ଟଙ୍କା ରହିଛି। ଅନଲାଇନ ଟିକେଟ୍ ବୁକ କରିଥିବା ଦର୍ଶକ ସେମାନଙ୍କର ଭାଉଚର ଦେଖାଇ ଡିସେମ୍ବର ୧୯, ୨୦ ଓ ୨୧ ତିନି ଦିନ ଧରି କେମ୍ବ୍ରିଜ ସ୍କୁଲ ପରିସରରୁ ଟିକଟ୍ ସଂଗ୍ରହ କରି ପାରିବେ।  ସେହି ପରି ୧୯ରୁ ଷ୍ଟାଡ଼ିୟମର ଏକାଧିକ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  ଟିକଟ୍ ସରିବା ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ।

Subscribe

National International State Sports Entertainment