ସୁପର ଶନିବାର ସନ୍ଧ୍ୟାରେ ଏକ ରୋମାଞ୍ଚକର ମ୍ୟାଚର ଅନ୍ତ ଘଟିଛି । କୋଲକାତାର ଇଡେନ ଗାର୍ଡେନରେ ଦୁଇଟି ଇନିଂସରେ ୪୦୦ ରୁ ଅଧିକ ରନର ବିସ୍ଫୋଟକ ମ୍ୟାଚ ଦେଖିଛନ୍ତି କ୍ରିକେଟ ପ୍ରେମୀ । ପ୍ରଥମ ଇନିଂସରେ ଆନ୍ଦ୍ରେ ରସଲଙ୍କ ୨୫ ବଲରେ ୬୪ ରନର ଇନିଂସ ସାଙ୍ଗକୁ ଦ୍ଵିତୀୟ ଇନିଂସରେ ହେନରୀକ କ୍ଲାସେନଙ୍କ ୨୯ ବଲରେ ୬୩ ରନର ବିସ୍ଫୋଟକ ବ୍ୟାଟିଂ ମ୍ୟାଚକୁ ନୂଆ ମୋଡ ଦେଇଥିଲା । କିନ୍ତୁ ଶେଷ ଓଭରରେ ହର୍ଷିତ ରାଣା ଦୁଇଟି ୱିକେଟ୍ ନେଇ କେକେଆରକୁ ମ୍ୟାଚ ଜିତାଇଥିଲେ । ଆନ୍ଦ୍ରେ ରସଲଙ୍କ ଅଲ ରାଉଣ୍ଡ ପ୍ରଦର୍ଶନ ଫଳରେ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।
ଇଡେନ ଗାର୍ଡେନରେ ଶନିବାର ସନ୍ଧ୍ୟାରେ ଛକ୍କାର ବର୍ଷା ଦେଖିବାକୁ ମିଳିଥିଲା । ଦୁଇଟି ଇନିଂସରେ ସମୁଦାୟ ୨୯ ଟି ଛକ୍କା ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସ ଆରମ୍ଭରୁ କେକେଆର ୫୧ ରନରେ ୪ଟି ୱିକେଟ୍ ହରାଇଥିଲା । ଫିଲ ସଲ୍ଟ ଓ ରମନଦୀପ ସିଂ କେକେଆର ପାରିକୁ ସମ୍ଭାଳିବା ସହ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ଫିଲ ସଲ୍ଟ ୪୦ ବଲରେ ୫୪ ରନ କରିଥିଲେ ଏବଂ ରମନଦୀପ ସିଂ ୧୭ ବଲରେ ୩୫ ରନ ସଂଗ୍ରହ କରିଥିଲେ । ଏହା ପରେ ରିଙ୍କୁ ସିଂ ୧୫ ବଲରେ ୨୩ ରନ ସଂଗ୍ରହ କରିଥିଲେ । ୧୩.୫ ଓଭରରେ ଫିଲ ସଲ୍ଟଙ୍କ ୱିକେଟ୍ ପରେ ଆନ୍ଦ୍ରେ ରସଲଙ୍କ ବିସ୍ଫୋଟକ ଇନିଂସର ଆରମ୍ଭ ହୋଇଥିଲା । ରସେଲ ୨୫ ବଲରେ ୬୪ ସଂଗ୍ରହ କରିଥିଲେ ଯେଉଁଥିରେ ୩ଟି ଚୌକା ଓ ୭ଟି ଛକ୍କା ସାମିଲ ଥିଲା । ଏହା ସହ ରସେଲ ୨ଟି ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ । ଦ୍ଵିତୀୟ ଇନିଂସରେ ଏକ ରୋମାଞ୍ଚକର ମ୍ୟାଚର ଅନ୍ତ ଘଟିଲା । ହେନରୀକ କ୍ଲାସେନ ଶେଷ ଯାଏ ସଂଘର୍ଷ କରିଥିଲେ ମଧ୍ୟ ମ୍ୟାଚ ଜିତାଇବାରେ ଅସଫଳ ହୋଇଥିଲେ । ସେହଵାଜ ଅହମଦ ମଧ୍ୟ ୫ଟି ବଲରେ ୧୬ ରନ ସଂଗ୍ରହ କରିଥିଲେ । ଶେଷ ଓଭରରେ ହର୍ଷିତ ରାଣା ଦୁଇଟି ମୁଖ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଯାହା ଫଳ ସ୍ୱରୂପ କେକେଆର ପ୍ରଥମ ବିଜୟ ହାସଲ କରିଥିଲା ।
ଅଧିକ ପଢନ୍ତୁ : ୪ ୱିକେଟ୍ ରେ ବାଜି ମାରିଲା ପଞ୍ଜାବ କିଙ୍ଗ୍ସ