ଚଳିତ ଟି-୨୦ ବିଶ୍ୱକପର ୨୬ ତମ ମ୍ୟାଚରେ ୱେଷ୍ଟ ଇଣ୍ଡିଜଠାରୁ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ । ଲଗାତାର ଦୁଇଟି ପରାଜୟ ସହ ଚଳିତ ଟି-୨୦ ବିଶ୍ୱକପରୁ ବାଦ ମଧ୍ୟ ପଡିପାରେ ନ୍ୟୁଜିଲାଣ୍ଡ । ଅନ୍ୟପକ୍ଷରେ ୩ ଟି ବିଜୟ ସହ ଗ୍ରୁପ-ସିରୁ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ୱେଷ୍ଟ ଇଣ୍ଡିଜ । ତେବେ ଆଫଗାନିସ୍ତାନର ପରବର୍ତ୍ତୀ ମ୍ୟାଚରେ ଯଦି ଆଫଗାନିସ୍ତାନ ପିଏନଜିକୁ ପରାସ୍ତ କରେ ତେବେ ଆଫଗାନିସ୍ତାନ ମଧ୍ୟ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବ ଏବଂ ନ୍ୟୁଜିଲାଣ୍ଡର ଚଳିତ ବର୍ଷର ବିଶ୍ୱକପ ସ୍ବପ୍ନ ସ୍ବପ୍ନରେ ରହିଯିବ ।
ଅନ୍ୟପକ୍ଷରେ ଗ୍ରୁପ-ଏ ରୁ ଭାରତ ମଧ୍ୟ ସୁପର ୮ ରେ ପ୍ରବେଶ କରିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ୟୁଏସଏକୁ ପରାସ୍ତ କରି ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଗ୍ରୁପ-ବି ରୁ ଅଷ୍ଟ୍ରେଲିଆ ସୁପର ୮ ରେ ପ୍ରବେଶ କରିଥିବାବେଳେ ଗ୍ରୁପ-ସିରୁ ୱେଷ୍ଟଇଣ୍ଡିଜ ଓ ଗ୍ରୁପ-ଡ଼ିରୁ ଦକ୍ଷିଣ ଆଫ୍ରିକା ସୁପର ୮ ରେ ପ୍ରବେଶ କରିଛି ।
ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ନଜର ପକାଇଲେ ନ୍ୟୁଜିଲାଣ୍ଡ ୧୩ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ୧୩ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ ୭୬ ରନ କରି ୭ ୱିକେଟ୍ ହରାଇଥିବାବେଳେ ଶେରଫନ ରଦରଫୋର୍ଡ଼ ଅପରାଜିତା ରହି ୱେଷ୍ଟଇଣ୍ଡିଜକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ୱେଷ୍ଟଇଣ୍ଡିଜର ସବୁ ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଥିବାବେଳେ ରଦରଫୋର୍ଡ଼ ୩୯ ବଲରେ ୬୮ ରନର ବିସ୍ଫୋଟକ ଇନିଂସ ଖେଳିଥିଲେ । ଏହି ଇନିଂସରେ ୨ ଟି ଚୌକା ଓ ୬ ଟି ଛକ୍କା ସାମିଲ ଥିଲା । ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୩୬ ରନରେ ସୀମିତ ରହିଥିଲା । ଅଲଜାରୀ ଜୋସେଫ ୪ ଟି ୱିକେଟ୍ ନେଇଥିବାବେଳେ ଗୁଡ଼ାକେଶ ମୋତୀ ୩ ଟି ଏବଂ ଅକିଲ ହୁସେନ ଓ ଆନ୍ଦ୍ରେ ରସଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଟି-୨୦ ବିଶ୍ବକପ୍: ଆମେରିକାକୁ ୭ୱିକେଟ୍ରେ ପରାସ୍ତ କଲା ଭାରତ, ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ