ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜ୍ର ଆୟୋଜନରେ ଜାରି ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି-୨୦ ବିଶ୍ବକପ୍ରେ ଭାରତୀୟ ଟିମ୍ ବୁଧବାର ଦମ୍ଦାର ପ୍ରଦର୍ଶନ କରି ସୁପର-୮ରେ ପହଞ୍ଚିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ୍ରେ ନିଜର ପ୍ରାରମ୍ଭିକ ତିନିଟି ମ୍ୟାଚ୍ ଜିତିଛି। ତୃତୀୟ ମ୍ୟାଚରେ ଭାରତୀୟ ଟିମ୍ ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜକ ଆମେରିକାକୁ ୭ ୱିକେଟ୍ରେ ପରାସ୍ତ କରିଛି। ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୧୧ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ମ୍ୟାଚ୍ ମଝିରେ ଭାରତୀୟ ଖେଳାଳିଙ୍କ ଶରୀରରୁ ଝାଳ ବାହାରି ପଡ଼ିଥିଲା। ଏହାର କାରଣ ଥିଲା ଆରମ୍ଭରୁ ଆମେରିକୀୟ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ୭.୩ ଓଭରରେ ୩ ୱିକେଟ୍ ନେଇ ସାରିଥିଲେ। ସେତେବେଳକୁ ଭାରତର ସ୍କୋର ୩୯ ରନ୍ ଥିଲା।
ଭାରତର ପ୍ରାରମ୍ଭିକ ବ୍ୟାଟିଂ ଆଦୌ ଭଲ ନଥିଲା। ଓପନର ରେହିତ ଶର୍ମା ଓ ବିରାଟ କୋହଲି ଭାରତର ପାଳି ଆରମ୍ଭ କରିଥିଲେ। ପ୍ରଥମ ବଲ୍ରୁ ରୋହିତ ଶର୍ମା ଗୋଟିଏ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଦ୍ବିତୀୟ ବଲରେ କୋହଲି ଆଉଟ୍ ହୋଇ ପାଭିଲି୍ଅନ୍ ଫେରିଥିଲେ। ରୋହିତ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ରହିପାରି ନଥିଲେ। ସେ ୬ଟି ବଲ୍ ଖେଳି ୩ ରନ୍ କରିଥିଲେ। ଭାରତ ୧୦ ରନ୍ରେ ଦ୍ବିତୀୟ ଓ ୩୯ ରନ୍ରେ ତୃତୀୟ ୱିକେଟ୍ ହରାଇଥିଲା।
ବିଗତ କିଛି ମାସ ହେଲା ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଥିବା ବେଳେ ବୁଧବାର ମ୍ୟାଚରେ ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ, ଯାହାକି ଭାରତ ପାଇଁ ବଳ ଯୋଗାଇଥିଲା। ସୂର୍ଯ୍ୟକୁମାର ଅପରାଜିତ ଅର୍ଦ୍ଧଶତକ (୫୦ରନ୍) କରିଥିଲେ। ଏଥି ପାଇଁ ସେ ୪୯ଟି ବଲ୍ ଖେଳିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଶିଭମ ଦୁବେ ଅପରାଜିତ ୩୧ ରନ୍ କରିଥିଲେ। ସେ ୩୫ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ଋଷଭ ପନ୍ତଙ୍କ ବ୍ୟାଟରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହିତ ୧୮ ରନ୍ ଅମଳ ହୋଇଥିଲା।
ଏହି ମ୍ୟାଚରେ ଆମେରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୧୦ ରନ୍ କରିଥିଲା। ଦଳ ପାଇଁ ଏନ୍ଆର କୁମାର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୭ ରନ୍ ସଂଗ୍ରହ କରିଥିଲେ। ସେ ୨୩ଟି ବଲ୍ ସାମ୍ନା କରିଥିଲେ। ଏଥିରେ ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଷ୍ଟିଭେନ୍ ଟ୍ରେଲର ୩୦ଟି ବଲ୍ ଖେଳି ୨ଟି ଛକା ସହାୟତାରେ ୨୪ ରନ୍ ସଂଗ୍ରହ କରିଥିଲେ।