ଆଡିଲେଡ: ପିଙ୍କ ବଲ୍ ଦିବାରାତ୍ର ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଅଷ୍ଟ୍ରେଲିଆ।ବୋଲିଂ ପରେ ବ୍ୟାଟର ମଧ୍ୟ ନିଜର ଦମ୍ଭ ଦେଖାଇଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ଓ୍ଵିକେଟ୍ ହରାଇ ୮୬ ରନ କରିଛି। ଏବେ ବି ଦଳ ଭାରତଠୁ ୯୪ ରନ ପଛରେ ରହିଛି। କ୍ରିଜରେ ନାଥନ ମ୍ୟାକସ୍ଵିନି ୩୮ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ବ୍ୟାଟିଂ କରୁଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିଲା। କଙ୍ଗାରୁ ବୋଲର ମିଚେଲ୍ ଷ୍ଟାର୍କ ୬ ଓ୍ଵିକେଟ୍ ନେଇ ଭାରତକୁ ଚାପରେ ରଖିବା ସହ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି।
ଇନିଂସ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୨୪ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଉସ୍ମାନ ଖ୍ଵାଜା(୧୩) ଯଶପ୍ରୀତ ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ମ୍ୟାକସ୍ଵିନି ଓ ଲାବୁସେନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ଆଉ କ୍ଷତି ହେବାକୁ ଦେଇ ନ ଥିଲେ। ଉଭୟ ବ୍ୟାଟର ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଛନ୍ତି । କ୍ରିଜରେ ନାଥନ ମ୍ୟାକସ୍ଵିନି ୪୦ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଏକମାତ୍ର ଓ୍ଵିକେଟ୍ ଉପଅଧିନାୟକ ଯଶପ୍ରୀତ ବୁମରା ନେଇଛନ୍ତି।
ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଭାରତ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ପ୍ରଥମ ବଲରେ ହିଁ ପର୍ଥ ଟେଷ୍ଟର ଶତକବୀର ଯଶସ୍ୱୀ ଜୟସ୍ୱାଲ ଗୋଲଡେନ ଡକର ଶିକାର ହୋଇଥିଲେ । ମିଚେଲ୍ ଷ୍ଟାର୍କ ତାଙ୍କୁ ଏଲବିଡବ୍ଲ୍ୟୁ କରି ଖାତା ଖୋଲିବାକୁ ଦେଇ ନ ଥିଲେ । ଏହା ପରେ କେଏଲ ରାହୁଲ ଓ ଶୁଭମନ ଗିଲ୍ ଭଲ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ । ଉଭୟ ଦ୍ୱିତୀୟ ୱିକେଟରେ ୬୯ ରନ ଯୋଡିଥିଲେ । କ୍ରିଜରେ ସେଟ୍ ହୋଇ ସାରିଥିବା କେଏଲ ୩୭ ରନ କରି ପାଭିଲିୟନ ଫେରିଥିଲେ । ମିଚେଲ୍ ଷ୍ଟାର୍କ କେଏଲଙ୍କୁ ଆଉଟ୍ କରିବା ସହ ବିରାଟ କୋହଲି(୭)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଶୁଭମନ ଗିଲ ମଧ୍ୟ ୩୧ ରନ କରି ଭଲ ଆରମ୍ଭ କରିଥିଲେ ହେଁ ଏହାକୁ ବଡ ସ୍କୋରରେ ପରିଣତ କରି ପାରି ନ ଥିଲେ ।
ଅଧିନାୟକ ରୋହିତ ଶର୍ମା(୩) ନିଜର ଖରାପ ଫର୍ମ ଜାରି ରଖି ଆଉଟ୍ ହୋଇଥିଲେ । ୮୭ ରନ ସ୍କୋରରେ ଭାରତ ନିଜର ଅଧା ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଋଷଭ ପନ୍ତ ୨୧ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ନୀତିଶ ରେଡ୍ଡୀ ଓ ରବିଚନ୍ଦ୍ରନ ଅଶ୍ୱିନ କିଛି ସମୟର ଦଳର ଇନିଂସ ସମ୍ଭାଳିଥିଲେ । ଅଶ୍ୱିନ ୨୨ ବଲରୁ ୨୨ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ନୀତିଶ ରେଡ୍ଡୀ ଦ୍ରୁତ ବ୍ୟାଟିଂ କରି ନିମ୍ନକ୍ରମରେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ । ହର୍ଷିତ ରାଣା ଓ ଯଶପ୍ରୀତ ବୁମରା ଖାତା ଖୋଲି ପାରି ନ ଥିଲେ । ନୀତିଶ ରେଡ୍ଡୀଙ୍କ ଆଉଟ୍ ହେବା ସହ ଭାରତର ଇନିଂସ ୧୮୦ ରନରେ ଅନ୍ତ ଘଟିଛି । ନୀତିଶ ସର୍ବାଧିକ ୪୨ ରନ କରିଛନ୍ତି ।
ବୋଲିଂରେ ମିଚେଲ୍ ଷ୍ଟାର୍କ ଶାଣିତ ବୋଲିଂ କରି ୪୮ ରନ ବିନିମୟରେ ୬ ସଫଳତା ହାସଲ କରିଛନ୍ତି । ଅଧିନାୟକ ପାଟ୍ କମିନ୍ସ ଓ ସ୍କଟ ବୋଲାଣ୍ଡ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।