ସାଂଘାଇ: ଚୀନର ସାଂଘାଇରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ ଷ୍ଟେଜ୍-୨ରେ ଭାରତକୁ ବଡ଼ ସଫଳତା ମିଳିଛି । ଗୋଟିଏ ସ୍ୱର୍ଣ୍ଣ ସହିତ ତିନୋଟି ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳୀ । ଶନିବାର ଖେଳାଯାଇଥିବା ବିଭିନ୍ନ ପର୍ଯ୍ୟାୟରେ ପୁରୁଷ ଦଳଗତରେ ଗୋଟିଏ ସ୍ୱର୍ଣ୍ଣ ମିଳିଥିବାବେଳେ ମହିଳା ଦଳଗତରେ ରୌପ୍ୟ ଏବଂ ମିକ୍ସ ଟିମ ଏକ କାଂସ୍ୟ ପଦକ ହାସଲ କରିଛନ୍ତି ।
ପୁରୁଷ ଟିମ ଫାଇନାଲରେ ଭାରତର ଅଭିଷେକ ବର୍ମା, ଓଜାସ୍ ଦେଓତଲେ ଓ ଋଷଭ ଯାଦବ ମେକ୍ସିକୋକୁ ୨୩୨-୨୨୮ ପଏଣ୍ଟରେ ପ୍ରରାସ୍ତ କରି ସଫଳତା ସାଉଁଟିଛନ୍ତି । ସମସ୍ତ ଚାରୋଟି ପର୍ଯ୍ୟାୟରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ । ସେହିପରି ମହିଳା ଦଳଗତ ପର୍ଯ୍ୟାୟରେ ଜ୍ୟୋତି ସୁରେଖା ବେନ୍ନମ, ମଧୁରା ଧମନଗାଓଁକର ଏବଂ ଚିକିଥା ତାନୀପାର୍ଥୀ ୨୨୧-୨୩୪ ସ୍କୋର୍ କରି ମେକ୍ସିକୋଠାରୁ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ସେହିପରି ମିଶ୍ରିତ ପର୍ଯ୍ୟାୟରେ ଅଭିଷେକ ବର୍ମା ଓ ମଧୁରା ମ୍ୟାଲେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିବାରେ ସମର୍ଥ ହୋଇଛନ୍ତି ।