ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କ୍ରୀଡ଼ା କ୍ଷେତ୍ର ପାଇଁ ୩୭୯୪.୩୦ କୋଟି ଟଙ୍କା ବ୍ୟୟବରାଦ ରାଯାଇଛି। ଏହା ଗତ ବର୍ଷ ତୁଳନାରେ ୩୫୨ କୋଟି ଟଙ୍କା ଅଧିକ ରହିଛି। କ୍ରୀଡ଼ା ବଜେଟ୍ରେ ଖେଲୋ ଇଣ୍ଡିଆକୁ କେନ୍ଦ୍ର ସରକାର ଗତ ଥର ପରି ଏଥର ମଧ୍ୟ ବେଶ ଗୁରୁତ୍ଵ ଦେଇଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ବଜେଟ୍ରେ ସବୁଠୁ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଉଛି।
ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାର ଆୟୋଜନ ହେଉଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟର ବଜେଟ୍ରେ ୩୭୯୪.୩୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହା ଗତ ବର୍ଷ ୩,୪୪୨.୩୨ କୋଟି ଟଙ୍କା ରହିଥିଲା। ଏହିପରି ୨୦୨୪-୨୫ ତୁଳନାରେ ୩୫୨ କୋଟି ଟଙ୍କା ବୃଦ୍ଧି କରାଯାଇଛି। କ୍ରୀଡ଼ା କ୍ଷେତ୍ର ପାଇଁ ୨୦୨୩ରେ ବଜେଟ୍ରେ ୩,୩୯୬.୯୬ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା।
କ୍ରୀଡ଼ା ମନ୍ତ୍ରଣାଳୟ ଏଥର ବଜେଟ୍ରେ ଖେଲୋ ଇଣ୍ଡିଆ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଗତ ବର୍ଷ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସରକାର ଗତ କିଛି ବର୍ଷ ହେବ ଖେଲୋ ଇଣ୍ଡିଆରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ଯଦ୍ଵାରା ସମଗ୍ର ଦେଶର କୋଣ ଅନୁକୋଣରୁ ପ୍ରତିଭାଙ୍କ ଚିହ୍ନଟ କରାଯାଇ ପାରିବ। ୨୦୨୩-୨୪ ବଜେଟରେ ପାଖାପାଖି ୪୦୦ କୋଟିରୁ ଅଧିକ ବଢାଯାଇ ଖେଲୋ ଇଣ୍ଡିଆ ପାଇଁ ୧୦୦୦ କୋଟି ବ୍ୟୟବରାଦ କରାଯାଇଥିଲା। କିନ୍ତୁ ପରେ ଏହାକୁ ସଂଶୋଧିତ କରାଯାଇ ୮୮୦ ଟଙ୍କା କରାଯାଇଥିଲା।
ଖେଲୋ ଇଣ୍ଡିଆ ୨୦୧୮ର ଆରମ୍ଭ ହେବା ପରେ ସରକାର ଏହାକୁ ଅଧିକ ଅଗ୍ରାଧିକାର ଦେଇ ଆସିଛନ୍ତି। ଏହାରି ଆଧାରେ ଆହୁରି କ୍ରୀଡ଼ା କାର୍ଯ୍ୟକ୍ରମକୁ ଯୋଡ଼ା ଯାଇଛି। ମନ୍ତ୍ରଣାଳୟ ସେହି ବର୍ଷ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଓ ୨୦୨୩ରେ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଆରମ୍ଭ କରିଥିଲେ। ପୁଣି ୨୦୨୦ରେ ଖେଲୋ ଇଣ୍ଡିଆ ବିଶ୍ଵ ବିଦ୍ୟାଳୟ ଆରମ୍ଭ କରିଥିଲେ। ସମଗ୍ର ଦେଶରେ ଶତାଧିକ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହାର ଉଦ୍ଦେଶ୍ୟ ପ୍ରତିଭାଶାଳୀ ଉଦୀୟମାନ ଖେଳାଳିଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବ।