ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତାକାଲି ରବିବାରଠାରୁ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଭଦୋଦରାର ବିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଟସ୍ ଅପରାହ୍ନ ୧ଟାରେ ହେବ ଏବଂ ମ୍ୟାଚ୍ ଅପରାହ୍ନ ୧ଟା ୩୦ ଟାରେ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ। ଏହି ଗ୍ରାଉଣ୍ଡରେ ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ସିରିଜ୍ ଖେଳା ଯାଇଛି।
ରୋକୋ ଉପରେ ନଜର
ସମସ୍ତଙ୍କ ନଜର ପୁଣି ଥରେ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ। ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ତେଣୁ, ସେ ଏହି ସିରିଜରେ ମଧ୍ୟ ଅତି କମରେ ଦୁଇଟି ଶତକ ହାସଲ କରି ପାରନ୍ତି। କିଙ୍ଗ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି।
ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ। ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ଦିନିକିଅ ସିରିଜରୁ ବାହାରେ ଅଛନ୍ତି। ଟମ୍ ଲାଥାମ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଛନ୍ତି। ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଦକ୍ଷିଣ ଆଫ୍ରିକାରେ SA 20 ଲିଗ୍ ଖେଳୁଛନ୍ତି। ରଚିନ୍ ରବିନ୍ଦ୍ର ଏବଂ ଦ୍ରୁତ ବୋଲର ଜାକବ୍ ଡଫିଙ୍କୁ ବିଶ୍ରାମ ଦିଆଯାଇଛି। ଆଘାତ ସମସ୍ୟାରୁ ଫେରିଥିବା ମ୍ୟାଟ୍ ହେନରୀ T20 ବିଶ୍ୱକପ୍ ଉପରେ ନଜର ରଖି T20 ସିରିଜ ଉପରେ ଧ୍ୟାନ ଦେଉଛନ୍ତି।
କାଇଲ୍ ଜାମିସନ୍ ଏବଂ ୨୩ ବର୍ଷୀୟ ଲେଗ୍-ସ୍ପିନର ଆଦିତ୍ୟ ଅଶୋକଙ୍କ ପ୍ରଦର୍ଶନ ଉପରେ ଏବେ ସଭିଙ୍କ ନଜର ରଖାଯିବ। ସାଣ୍ଟନରଙ୍କ ବଦଳ ଖେଳାଳି ଭାବେ ଜାଡେନ୍ ଲେନକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଶକ୍ତିଶାଳୀ ରହିଛି। କାରଣ ଦଳରେ ଡେଭନ୍ କନୱେ, ଡାରିଲ୍ ମିଚେଲ୍, ହେନରୀ ନିକୋଲାସ, ୱିଲ୍ ୟଙ୍ଗ ଏବଂ ଗ୍ଲେନ୍ ଫିଲିପ୍ସ ଭଳି ଖେଳାଳିଙ୍କ ଉପସ୍ଥିତି ସହିତ ଅନେକ ନୂତନ ଏବଂ ଅନଭିଜ୍ଞ ଚେହେରା ମଧ୍ୟ ରହିଛି।
Also read: ‘ଯାହା ଭାଗ୍ୟରେ ଲେଖା ଅଛି, କେହି ଛଡ଼ାଇ ପାରିବେ ନାହିଁ’, ଟି-୨୦ ବିଶ୍ଵକପରୁ ବାଦ୍ ପଡ଼ିବା ପରେ ଗିଲଙ୍କ ପ୍ରଥମ ପ୍ରତିକ୍ରିୟା