ନୂଆଦିଲ୍ଲୀ: ହୁଏତ ଶୁଭମନ ଗିଲ କେବେ କଳ୍ପନା କରିନଥିଲେ ଯେ ସେ ୨୦୨୬ ଟି ୨୦ ବିଶ୍ଵକପରେ ଖେଳିପାରିବେ ନାହିଁ। ଟି ୨୦ ବିଶ୍ଵକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଗିଲଙ୍କୁ ଦଳରେ ସ୍ଥାନ ମିଳିନି। ଆଶ୍ଚର୍ଯ୍ୟକର କଥା ଗିଲ୍ ଭାରତର ଦିନିକିଅ ଏବଂ ଟେଷ୍ଟ ଦଳର ଅଧିନାୟକ। ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ଟି-୨୦ ବିଶ୍ଵକପ୍ ଦଳରୁ ତାଙ୍କ ବାଦ ପଡ଼ିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଶୁଭମନ ଗିଲ୍ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ସିରିଜ୍ ପୂର୍ବରୁ, ସେ ଚୟନକର୍ତ୍ତାଙ୍କ ପ୍ରତି ସମ୍ମାନ ପ୍ରକାଶ କରିବା ସହ ବିଶ୍ୱକପ୍ ଦଳକୁ ଶୁଭକାମନା ଜଣାଇଛନ୍ତି। ବାଦ ପଡ଼ିବା ପୂର୍ବରୁ, ଶୁଭମନ ଗିଲ୍ ଟି ୨୦ ଦଳର ଉପ-ଅଧିନାୟକ ଥିଲେ। କିନ୍ତୁ ସେହି ଦାୟିତ୍ଵ ପୁନର୍ବାର ଅକ୍ଷର ପଟେଲଙ୍କୁ ଦିଆଯାଇଛି।
ଯାହା ଭାଗ୍ୟରେ ଅଛି, କେହି ତାକୁ ଛଡ଼ାଇ ନେଇପାରିବେ ନାହିଁ...
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଭାବୁଛି ଯେ ମୁଁ ଜୀବନରେ ଯେଉଁଠାରେ ରହିବା ଉଚିତ ସେଠାରେ ଅଛି। ମୋ ପାଇଁ ଯାହା ଭାଗ୍ୟରେ ଅଛି, ମୁଁ ବିଶ୍ୱାସ କରେ ଯେ ମୋଠାରୁ କିଛି ଛଡ଼ାଇ ନେଇହେବ ନାହିଁ। ଜଣେ ଖେଳାଳି ଭାବରେ, ଆପଣଙ୍କର ବିଶ୍ଵାସ ଅଛି ଯେ ଆପଣ ଭଲ ଖେଳିବେ ଏବଂ ଆପଣଙ୍କ ଦଳ ଏବଂ ଦେଶକୁ ଜିତାଇବାରେ ସାହାଯ୍ୟ କରିବେ।
ଶୁଭମନ ଗିଲ୍ ଆହୁରି କହିଛନ୍ତି, ମୁଁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛି। ମୁଁ ସେମାନଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ମୁଁ ଟି-୨୦ ଦଳକୁ ଶୁଭକାମନା ଜଣାଉଛି। ମୁଁ ଆଶା କରୁଛି ସେମାନେ ଭାରତକୁ ବିଶ୍ଵକପ୍ ଜିତାଇବେ।
ଶୁଭମନ ଗିଲ୍ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେହି ସିରିଜର ତିନୋଟି ଇନିଂସରେ, ଗିଲ୍ କେବଳ ୩୨ ରନ୍ କରିପାରିଥିଲେ ଏବଂ ଗୋଟିଏ ମ୍ୟାଚରେ ବିନା ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ଟି-୨୦ ମ୍ୟାଚରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା। ସାମସନ୍ ଏହି ସୁଯୋଗର ଲାଭ ଉଠାଇ ୨୨ ବଲରେ ୩୭ ରନ୍ କରିଥିଲେ। ସାମସନ୍ ଟି-୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ସହ ଭାରତୀୟ ଇନିଂସ ଓପନିଂ କରିବାର ସମ୍ଭାବନା ରହିଛି।