ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ମ୍ୟାଚ୍ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। କାରଣ ଗତ ବର୍ଷ ବିସିସିଆଇ ଏବଂ ପିସିବି ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ କରିବାକୁ ରାଜି ହୋଇଥିଲେ। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନର ପଥକୁ ଅନୁସରଣ କରିଛି। ଭାରତ ସହ ତିକ୍ତ ସଂପର୍କ ମଧ୍ୟରେ ବାଂଲାଦେଶ ଦଳ ଟି୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବ ନାହିଁ ରୋକ୍ ଠୋକ୍ ଜଣାଇ ଦେଇଛି । ଆଇସିସିକୁ ଚିଠି ଲେଖି ବାଂଲାଦେଶର ମ୍ୟାଚ୍ଗୁଡ଼ିକ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଦାବି କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ ।
ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ବାଂଲାଦେଶ ଟିମ୍ ଭାରତ ଯାତ୍ରା ନକରିବାର ନିଷ୍ପତ୍ତିକୁ ନେଇଛି। ତଥାପି, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ ସୋସିଆଲ ମିଡିଆରେ ଲେଖିଛନ୍ତି, ବାଂଲାଦେଶ ଦଳ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବ ନାହିଁ । ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଜି ଏହି ନିଷ୍ପତ୍ତି ନେଇଛି। ବିସିସିଆଇର ଏକପାଖିଆ ନୀତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।
ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବାଦ ଦିଆଯିବା ପରେ ବିସିବି ଏହି ନିଷ୍ପତ୍ତି ନେଇଛି। ସମ୍ପ୍ରତି, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରେହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶ ପରେ, କେକେଆର୍ ଫ୍ରାଞ୍ଚାଇଜ୍ ରହମାନଙ୍କୁ ଦଳରୁ ବାହାର କରିଦେଇଛି । ସମ୍ପ୍ରତି, ବାଂଲାଦେଶ କ୍ରିକେଟ୍ ବୋର୍ଡ ତାର ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ପ୍ରକାଶ କରିଛି, ଯେଉଁଥିରେ ୨୦୨୬ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ଏକ ସିରିଜ୍ ଅନ୍ତର୍ଭୁକ୍ତ। ଏହି ସିରିଜ୍ ମୂଳତଃ ୨୦୨୫ ପାଇଁ ସୂଚୀବଦ୍ଧ ହୋଇଥିଲା, କିନ୍ତୁ ସେତେବେଳେ ଏହାକୁ ସ୍ଥଗିତ ରଖାଯାଇଥିଲା। ସଂପ୍ରତି ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କରେ ତିକ୍ତତା କାରଣରୁ ଏହି ସିରିଜ୍ ପ୍ରତି ବିପଦ ଘନେଇଛି ।
ଟି ୨୦ ବିଶ୍ୱକପରେ ଭାରତକୁ ଗ୍ରୁପ୍ A ରେ ଏବଂ ବାଂଲାଦେଶକୁ ଗ୍ରୁପ୍ C ରେ ରଖାଯାଇଛି । ଭାରତ ଫେବୃଆରୀ ୭ ରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଏବଂ ବାଂଲାଦେଶ ଫେବୃଆରୀ ୭ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ମ୍ୟାଚ୍ ସହିତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହା ଦେଖିବା ରୋଚକ ହେବ ଯେ ପାକିସ୍ତାନ ପରି, ବାଂଲାଦେଶର ମ୍ୟାଚ୍ ମଧ୍ୟ ଟି୨୦ବିଶ୍ୱକପ୍ ଆୟୋଜକ ଦେଶ ଭାରତ ବାହାରେ ଖେଳାଯିବ କି ନାହିଁ ।