ନୂଆଦିଲ୍ଲୀ: ଇଂଲଣ୍ଡକୁ ଘରୋଇ ମାଟିରେ ୩-୦ରେ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କରିବା ପରେ ଏବେ ଭାରତୀୟ ଦଳର ନଜର ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉପରେ ରହିଛି। ଏହି କ୍ରମରେ ଆଜି ଭାରତୀୟ କ୍ରିକେଟ୍ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ସମସ୍ତ ୧୫ ଖେଳାଳି ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ।
ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବାଂଲାଦେଶ ବିପକ୍ଷରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଖେଳିବ।ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଆଜି ଦୁବାଇ ଯାତ୍ରା କରିଥିବା ଭାରତୀୟ ଦଳରେ ହେଡ୍ କୋଚ୍ ଗମ୍ଭୀର, ଅଧିନାୟକ ରୋହିତ, ବିରାଟ କୋହଲି, ଓ୍ଵାଶିଂଟନ ସୁନ୍ଦର, କେଏଲ ରାହୁଲ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଦ୍ରୁତ ବୋଲର ଅର୍ଶଦୀପ ସିଂ, ରବୀନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ଋଷଭ ପନ୍ତ, କୁଲଦୀପ ଯାଦବ ଓ ହର୍ଷିତ ରାଣଙ୍କୁ ଦେଖିବାକୁ ମିଳିଥିଲା।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ଫେବୃଆରୀ ୧୯ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହା ପରେ ୨୦ ତାରିଖରେ ଭାରତ ବାଂଲାଦେଶ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଫେବୃଆରୀ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ମ୍ୟାଚ୍ ଖେଳାଯିବ। ଭାରତ ନିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ମାର୍ଚ୍ଚ ୯ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏଲ ରାହୁଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ।