ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଟି-୨୦ ବିଶ୍ବକପ୍-୨୦୨୪ର ସୁପର-୮ରେ ପ୍ରବେଶ କରିଛି। ଏବେ ରୋହିତ ଶର୍ମାଙ୍କର ଏହି ଟିମ୍ ଜୁନ୍ ୨୦ ତାରିଖରେ ଆଫଗାନିସ୍ତାନକୁ ମୁକାବିଲା କରିବ। ୱେଷ୍ଟଇଣ୍ଡିଜ୍ର ବାରବାଡୋସରେ ଏହି ମ୍ୟାଚ୍ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମ୍କୁ ଶକ୍ତ ଝଟକା ଲାଗିଛି। ନେଟ୍ ପ୍ରାକ୍ଟିସ (ନେଟ୍ ଅଭ୍ୟାସ) ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ବକପ୍ ଟି-୨୦ ରାଙ୍କିଙ୍ଗର ୧ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ଥ୍ରୋଡାଉନ୍ ସାମ୍ନା କରିବା ବେଳେ ବଲ୍ ତାଙ୍କର ହାତରେ ଲାଗିଥିଲା। ଏହା ପରେ ତାଙ୍କୁ ଫିଜିଓ ତୁରନ୍ତ ହେପାଜତକୁ ନେଇଥିଲେ।
ଆଘାତ ଲାଗିବା ପରେ ସୂର୍ଯ୍ୟକୁମାର ଯନ୍ତ୍ରଣା ଅନୁଭବ କରିଥିବା ଅନୁମାନ କରାଯାଉଥିଲା। ଫିଜିଓ ମ୍ୟ ସୂର୍ଯ୍ୟଙ୍କୁ ତୁରନ୍ତ ଚିକିତ୍ସା ଦେଇଥିଲେ। ମାତ୍ର କୁହାଯାଉଛି ଯେ, ସୂର୍ଯ୍ୟଙ୍କୁ ଶକ୍ତ ଆଘାତ ଲାଗି ନାହିଁ। ପେନ୍କିଲର ସ୍ପେ କରାଯିବା ପରେ ସୂର୍ଯ୍ୟ ପୁଣିଥରେ ଅଭ୍ୟାସ କରିଥିଲେ ଏବଂ ବ୍ୟାଟ ଧରିଥିଲେ।
ତେବେ ସୂର୍ଯ୍ୟ କୁମାର ଯେତେବେଳେ ଆଘାତର ସାମ୍ନା କଲେ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଚିନ୍ତାରେ ପଡ଼ିଯାଇଥିଲେ। ସେ ସୂର୍ଯ୍ୟଙ୍କ ପାଖକୁ ଆସି ଛିଡ଼ା ହୋଇଥିଲେ। ସେ ସୂର୍ଯ୍ୟ ଓ ଫିଜିଓଙ୍କ ସହିତ କଥାବାର୍ତ୍ତା କରିଥିଲେ। ସୂଚନାଯୋଗ୍ୟ, ଗତ ୧୭ ତାରିଖ ଦିନ ଭାରତୀୟ ଟିମ୍ର ଇଚ୍ଛାଧୀନ ଅଭ୍ୟାସ ଶିବିର ଥିଲା। କିନ୍ତୁ ଏଥିରେ ସମସ୍ତ ଖେଳାଳି ଅଂଶଗ୍ରହଣ କରିଥିଲେ।
ଚଳିତ ଟି-୨୦ ବିଶ୍ବକପ୍ରେ ଭାରତ ସୁପର-୮ରେ ପ୍ରବେଶ କରିସାରିଛି। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟିମ୍ରେ ଗୁରୁତ୍ବପୂର୍ଣ୍ଣ ଖେଳାଳି ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ଆମେରିକା ବିପକ୍ଷରେ ବିପରୀତ ପରିସ୍ଥିତିରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ଆଗାମୀ ମ୍ୟାଚ୍ରେ ସୂର୍ଯ୍ୟଙ୍କ ଠାରୁ ବହୁ ଆଶା କରାଯାଉଛି।