କେବେ ଥିଲେ ଭାରତୀୟ ଦଳର ଚୟନକର୍ତ୍ତା, ଏବେ ହୋଇ ପାରନ୍ତି ବ୍ୟାଟିଂ କୋଚ୍, ଦ୍ରାବିଡ଼ କରନ୍ତି ଭରସା ?
Khabar Odisha:Sports-cricket-odisha-cricket-vikram-rathour-set-to-be-batting-coach-of-indian-cricket-team-reports
ନୂଆଦିଲ୍ଲୀ,ଅଗଷ୍ଟ୧୫(ଖବର ଓଡ଼ିଶା):

ଶୁକ୍ରବାର ଅଗଷ୍ଟ ୧୬ ଭାରତୀୟ କ୍ରିକେଟ୍ ପ୍ରଶଂସକ ଓ ଭାରତୀୟ ଦଳ ପାଇଁ ମହତ୍ଵପୂର୍ଣ୍ଣ ଦିନ।  କାରଣ ଏହି ଦିନ ଭାରତର ନୂତନ କୋଚିଂ ସଦସ୍ୟଙ୍କ ଘୋଷଣା  ହେବାର ସମ୍ଭାବନା ଅଛି। ଖବର ମୁତାବକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟି ଭାରତୀୟ ଦଳର ନୂତନ ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଫିଲ୍ଡିଂ କୋଚଙ୍କ ନାମ ଘୋଷଣା କରି ପାରନ୍ତି। ଏମିତିରେ ମିଡିଆରେ ଚାଲିଥିବା ଖବର ମୁତାବକ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ବୋଲିଂ କୋଚ୍ ରୂପେ ଭରତ ଅରୁଣଙ୍କୁ ନିଜ ପଦରେ ଜାରି ରଖାଯାଇପାରେ, ମାତ୍ର ବ୍ୟାଟିଂ କୋଚ୍ ଓ ଫିଲ୍ଡିଂ କୋଚରେ ପରିବର୍ତ୍ତନ ହୋଇପାରେ।

ବିକ୍ରମ ରାଠୋର ହେବେ ବ୍ୟାଟିଂ କୋଚ୍ ?

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ମୁତାବକ ଭାରତୀୟ ଦଳର ପୂର୍ବତନ ଓପନର ବିକ୍ରମ ରାଠୋରଙ୍କୁ ବ୍ୟାଟିଂ କୋଚ୍ କରାଯାଇପାରେ। ଉଲ୍ଲେଖଯୋଗ୍ୟ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ପାଇଁ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଜୋନାଥନ ଟ୍ରଟ, ମାର୍କ ରାମପ୍ରକାଶ, ଅମୋଲ ମଜୁମଦାର, ଋଷିକେଶ କନିକତର, ପ୍ରବୀଣ ଆମରେ, ଲାଲଚନ୍ଦ ରାଜପୁତ, ତିଲନ ସମରାବୀରା ଓ ବିକ୍ରମ ରାଠୋର ଆବେଦନ କରିଛନ୍ତି। ମାତ୍ର ଭାରତୀୟ ଦଳ କୌଣସି ଜଣେ ଭାରତୀୟଙ୍କୁ ବ୍ୟାଟିଂ କୋଚ୍ ରୂପେ ଚାହୁଁଛି। ଯାହା ପରେ ଏହି ଦୌଡ଼ରେ ବିକ୍ରମ ରାଠୋରଙ୍କ ନାମ ସର୍ବାଗ୍ରେ ରହିଛି।

କିଏ ବିକ୍ରମ ରାଠୋର 

ଉଲ୍ଲେଖନୀୟ ବିକ୍ରମ ରାଠୋର ଜଣେ ଓପନିଂ ବ୍ୟାଟସମ୍ୟାନ ଥିଲେ। ସେ ଭାରତ ପାଇଁ ୬ଟି ଟେଷ୍ଟ ଓ ୭ଟି ଦିନିକିଆ ଖେଳିଛନ୍ତି। ବିକ୍ରମ ରାଠୋରଙ୍କୁ ଭାରତୀୟ ଦଳରେ ଖେଳିବାକୁ ଅଧିକ ସୁଯୋଗ ମିଳିନଥିଲା ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ ଓପନିଂ ବ୍ୟାଟସମ୍ୟାନ ରୂପେ ସେ ପ୍ରସିଦ୍ଧ ଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ପଞ୍ଜାବ ପକ୍ଷରୁ ଖେଳିଥିବା ରାଠୋରଙ୍କ ବ୍ୟାଟିଂ ହାର ପାଖାପାଖି ୫୦ ରହିଛି। ୨୦୧୨ରେ ମଧ୍ୟ ସେ ଭାରତୀୟ ଦଳର ଚୟନକର୍ତ୍ତା ଥିଲେ। 

ରାହୁଲ ଦ୍ରାବିଡ଼ କରନ୍ତି ଭରସା

ନ୍ୟାସନାଲ କ୍ରିକେଟ୍ ଏକାଡେମୀର ମୁଖ୍ୟ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ବିକ୍ରମ ରାଠୋରଙ୍କ ସାମର୍ଥ୍ୟ ଉପରେ ବହୁତ ଭରସା କରନ୍ତି। ଚଳିତ ବର୍ଷ ରାଠୋରଙ୍କୁ ଭାରତୀୟ  ଏ ଦଳ ପାଇଁ ବ୍ୟାଟିଂ କୋଚ୍ କରାଯାଇଥିଲା ଏବଂ ଏଥିପାଇଁ ଦ୍ରାବିଡ଼ ତାଙ୍କ ନାମକୁ ସୁପାରିଶ କରିଥିଲେ। ବୋଧହୁଏ ଏହି କାରଣରୁ ସେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ହୋଇ ପାରନ୍ତି। 

Subscribe

National International State Sports Entertainment