ନୂଆଦିଲ୍ଲୀ, ଅଗଷ୍ଟ ୦୨ (ଖବର ଓଡ଼ିଶା): ସେଣ୍ଟ କିଟ୍ସରେ ସୋମବାର ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ୨ୟ ଟି-୨୦ ମ୍ୟାଚ ରୋମାଂଚକର ହୋଇଛି । ଏହି ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଘରୋଇ ଦଳ ଶେଷ ଓଭରରେ ଜିତିବା ପରେ ୫ ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚରେ କେବଳ ୧୩୮ ରନ୍ ସଂଗ୍ରହ କରିପାରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ଶେଷ ଓଭରରେ ମ୍ୟାଚକୁ ଜିତିଯାଇଥିଲା । ୱେଷ୍ଟଇଣ୍ଡିଜ ୧୯.୨ ଓଭରରେ ୫ଟି ୱିକେଟ ହରାଇ ସ୍କୋର ୧୪୧ ରନ୍ କରିଥିଲା ।
ୱେଷ୍ଟଇଣ୍ଡିଜ୍କୁ ଶେଷ ଓଭରରେ ୧୦ ରନ୍ ଦରକାର ଥିଲା । ଭାରତ ପକ୍ଷରୁ ଆଭେସ ଖାନା ବୋଲିଂ କରୁଥିଲେ । ଆଭେସ ଖାନ ପ୍ରଥମ ବଲକୁ ନୋ ଦେଇଥିଲେ । ଏହା ପରେ ଫ୍ରି ହିଟ୍ ହେବାରୁ ୱେଷ୍ଟଇଣ୍ଡିଜର ବ୍ୟାଟର ଡେୱୋନ ଥୋମାସ ଛକା ମାରିଥିଲେ । ପରବର୍ତ୍ତୀ ବଲକୁ ସେ ଚୌକା ମାରିଥିଲେ ଏବଂ ଭାରତ ହାରି ଯାଇଥିଲା । ୱେଷ୍ଟଇଣ୍ଡିଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପାୱାରପ୍ଲେ ପର୍ଯ୍ୟନ୍ତ ସ୍କୋର ୪୬ ରନ୍ରେ ପହଞ୍ଚି ଥିଲା । ଟିମ୍ ଏକ ଭଲ ଲକ୍ଷ୍ୟ ନେଇ ଆଗକୁ ବଢୁଥିଲା । ମଧ୍ୟ କ୍ରମରେ ଭାରତର ବୋଲର ଭଲ ପ୍ରଦର୍ଶନ କରୁଥିଲେ । ୱେଷ୍ଟଇଣ୍ଡିଜ ଗୋଟିଏ ପରେ ଗୋଟିଏ ୱିକେଟ ହରାଉଥିଲା । କିନ୍ତୁ ଶେଷରେ ୱେଷ୍ଟଇଣ୍ଡିଜକୁ ମ୍ୟାଚକୁ ନିଜ ନାଁରେ କରିନେଇଥିଲା ।
ପ୍ରଥମ ପାଳିରେ ଭାରତ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନ୍ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ସର୍ବାଧିକ ୩୧ ରନ୍ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ୨୭ ରନ୍ ଓ ଋଷଭ ପନ୍ତ ୨୪ ରନ୍ କରିଥିଲେ । ଆଗଧାଡ଼ିର ବ୍ୟାଟର ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ (୧୧ରନ) ଓ ଶ୍ରେୟସ ଆୟର (୧୦ରନ୍) ପୂରାପୂରି ଫେଲ ହୋଇଥିଲେ । ଶେଷ କ୍ରମର ବ୍ୟାଟର ମଧ୍ୟ ଭାରତର ସ୍କୋରରେ ଭଲ ଯୋଗଦାନ ଦେଇପାରି ନଥିଲେ ।