ଫ୍ଲୋରିଡା, ଅଗଷ୍ଟ ୦୮ (ଖବର ଓଡ଼ିଶା): ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିଛି । ଫ୍ଲୋରିଡାରେ ରବିବାର ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଶେଷ ମୁକାବିଲାରେ ଭାରତ ୮୮ ରନ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯୁବ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲେ । ୱେଷ୍ଟଇଣ୍ଡିଜକୁ ୧୮୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲେ । କିନ୍ତୁ ଘରୋଇ ଦଳକୁ ଟିମ୍ ଇଣ୍ଡିଆର ଖେଳାଳିମାନେ ୧୦୦ ରନ୍ରେ ଅଟକାଇ ଦେଇଥିଲେ ।
ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା । ବ୍ୟାଟିଂ ପାଳରେ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ସର୍ବାଧିକ ୬୪ ରନ୍ ସଂଗ୍ରହ କରିଥିଲେ । ସେ ୪୦ଟି ବଲ୍ ଖେଳି ୮ଟି ଚୌକା ଓ ୨ ଟି ଛକା ମାଧ୍ୟମରେ ଏହି ସ୍କୋର କରିଥିଲେ । ଯୁବ ବ୍ୟାଟର ଦୀପକ ଚାହରଙ୍କ ବ୍ୟାଟରୁ ୩୮ ରନ୍ ମିଳିଥିଲେ । ଦୀପକ ୨୫ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ୍ ଯୋଡ଼ିଥିଲେ ।
ତେବେ ଶେଷ ଟି-୨୦ରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ । ରବି ବିଷ୍ନୋୟୀ ୨.୪ ଓଭର ବୋଲିଂ କରିଥିଲେ ଏବଂ ସେ ୧୬ ରନ୍ ଖର୍ଚ୍ଚ କରି ୪ଟି ୱିକେଟ ନେଇଥିଲେ । ସେହିପରି ଦ୍ରୁତ ବୋଲର ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ୩-୩ ୱିକେଟ ମିଳିଥିଲା । ୱେଷ୍ଟଇଣ୍ଡିଜ୍ ୧୫.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୦ ରନ୍ ସଂଗ୍ରହ କରିପାରିଥିଲା ।