ମୁମ୍ବାଇ, ମେ ୧୮ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୫ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି । ୱାଙ୍ଖଡେ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୩ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଠାରୁ ପରାସ୍ତ ହୋଇଛି । ମ୍ୟାଚ୍ ହାତେଇବା ପାଇଁ ରୋହିତଙ୍କ ଟିମ୍ର ଖେଳାଳିମାନେ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଶେଷ ପର୍ଯ୍ୟାୟରେ ଆବଶ୍ୟକ ଥିବା ରନ୍ ସଂଗ୍ରହ ହୋଇପାରି ନଥିଲା ।
ମୁମ୍ବାଇର ଟିମ୍ ଡାଭିଡ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୮ଟି ବଲ୍ ଖେଳି ୪୬ ରନ୍ କରିଥିଲେ । ଏଥିରେ ସେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ । ଅଧିନାୟକ ରୋହିତ ଶର୍ମା ୩୬ଟି ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ସହିତ ୪୮ ରନ୍ କରିଥିଲେ । ସେହିପରି ଈଶାନ କିଶନ୍ ମଧ୍ୟ ୩୪ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ୪୩ ରନ୍ କରିଥିଲେ । ମୁମ୍ବାଇ ୧୯୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୯୦ ରନ୍ କରିଥିଲା । ହାଇଦ୍ରାବାଦ୍ ପକ୍ଷରୁ ଉମ୍ରାନ୍ ମଲ୍ଲିକ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର ଓ ୱାଶିଂଟନ୍ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ତେବେ ପ୍ରଥମ ପାଳିରେ ହାଇଦ୍ରାବାଦ୍ ରାହୁଲ ତ୍ରିପାଠୀଙ୍କ ୭୬ ରନ୍ ବଳରେ ୬ଟି ୱିକେଟ୍ ହରାଇ ୧୯୩ ରନ୍ କରିଥିଲା । ରାହୁଲ ୪୪ଟି ବଲ୍ ସାମ୍ନା କରି ୯ଟି ଚୌକା ଓ ୩ଟି ଛକା ମାରିଥିଲେ । ପ୍ରିୟମ ଗର୍ଗ ୪୨ ରନ୍ ଓ ନିକୋଲାସ ପୂରନ ୩୮ ରନ୍ କରିଥିଲେ ।