ନୂଆଦିଲ୍ଲୀ, ମେ ୧୨ (ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଦେଜା ଚଳିତ ବର୍ଷର ଆଇପିଏଲ୍ରୁ ବାହାରି ଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ସନ୍ଧ୍ୟାରେ ଏକ ବୟାନ ଜାରି କରିବା ସହିତ ଏହା ସ୍ପଷ୍ଟ କରିଛି । ରବୀନ୍ଦ୍ର ଜାଦେଜାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରୋଧରେ ହୋଇଥିବା ମ୍ୟାଚ ସମୟରେ ଆଘାତ ଲାଗିଥିଲା, ଏହା ପରେ ତାଙ୍କର ଖେଳିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା ।
ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ସନ୍ଧ୍ୟାରେ ଜାରି ନିଜର ବୟାନରେ କହିଛି ଯେ, ରବୀନ୍ଦ୍ର ଜାଦେଜା ଆଘାତ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମ୍ୟାଚରେ ଉପଲବ୍ଧ ନଥିଲେ । ସେ ଏବେ ମେଡିକାଲ ଟିମ୍ର ନଜରରେ ଅଛନ୍ତି । ଏହି ଆଧାରରେ ଆଇପିଏଲ-୨୦୨୨ ସଂସ୍କରଣର ବାକି ମ୍ୟାଚ୍ରୁ ବାହାରି ଯାଇଛନ୍ତି ।
ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ରବୀନ୍ଦ୍ର ଜାଦେଜାଙ୍କ ଅଧିନାୟକତ୍ୱରେ ଆରମ୍ଭ କରିଥିଲା । କିନ୍ତୁ ଖରାପ ପ୍ରଦର୍ଶନ ଯୋଗୁଁ ମଧ୍ୟକ୍ରମରେ ମ୍ୟାଚ ଛାଡ଼ିବାକୁ ପଡ଼ିଥିଲା । ତାଙ୍କର ନେତୃତ୍ୱରେ ଚେନ୍ନାଇ ୮ରୁ ୬ଟି ମ୍ୟାଚରେ ହାରିଥିଲା ।
ରବୀନ୍ଦ୍ର ଜାଦେଜା ୨୦୨୨ ଆଇପିଏଲରେ ମୋଟ ୧୦ଟି ମ୍ୟାଚ ଖେଳିଛନ୍ତି । ସେ ୧୯.୩୩ ହାରରେ ମୋଟ ୧୧୬ ରନ୍ କରିଛନ୍ତି । ଏଥିରେ ସର୍ବାଧିକ ସ୍କୋର ଅଛି ୨୬ ରନ୍ । ଜଦେଜା ୫ଟି ୱିକେଟ ନେଇଛନ୍ତି । ପ୍ଲେଅଫ ରେସରୁ ଚେନ୍ନାଇ ଏକ ପ୍ରକାର ବାହାରି ଯାଇଛି । ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୪ଟି ଜିତିଛି । ଆଉ ଶେଷ ୩ଟି ମ୍ୟାଚ ଜିିତିଲେ ପ୍ଲେଅଫ୍ରେ ସ୍ଥାନ ପାଇପାରେ । କିନ୍ତୁ ଏହା ଏନ୍ଆରଆର ଓ ଅନ୍ୟ ଟିମ୍ ଉପରେ ନିର୍ଭର କରୁଛି ।