ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ମୋହାଲିରେ ଖେଳାଯାଇଛି । ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏସିଆ କପରେ ବିରାଟ କୋହଲି ପାଳି ଆରମ୍ଭ କରି ଶତକ ହାସଲ କରିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ କେଏଲ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି ।
କେଏଲ ରାହୁଲ ଅଷ୍ଟ୍ରେଲିଆ ବପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୫ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ସହିତ ୫୫ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ କେଏଲ ରାହୁଲ ଟି୨୦ ଅନ୍ତର୍ଜାତୀୟରେ ୨୦୦୦ ରନ୍ ପୂରା କରିନେଇଛନ୍ତି । ରାହୁଲ ୨୦୧୬ରେ ଭାରତ ପାଇଁ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ନିଜର ୫୮ତମ ପାଳିରେ ସେ ୨ ହଜାର ରନ ପୂରା କରିପାରିଛନ୍ତି । ଏଥି ସହିତ ଦ୍ରୁତଗତିରେ ରନ କରିବାରେ ସେ ୩ୟ ଖେଳାଳି ହୋଇପାରିଛନ୍ତି । ଏହା ପୂର୍ବରୁ ପାକିସ୍ତାନର ବାବର ଆଜମ ୫୨ ଏବଂ ବିରାଟ କୋହଲି ୫୬ ପାଳିରେ ୨ ହଜାର ରନ ପୂରା କରିଥିଲେ । ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ୬୨ଟି ପାଳିରେ ୨୦୦୦ ରନ୍ ପୂରା କରିଥିଲେ ।
ମୋହାଲିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ୍ ୪ଟି ବଲ ଥାଇ ଲକ୍ଷ୍ୟ ହାସଲ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।