ମୁମ୍ବାଇ, ମେ ୧୨ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୮ତମ ମ୍ୟାଚ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ସ୍ଥାନୀୟ ଡ. ଡିୱାଇ ପାଟିଲ ଷ୍ଟାଡିୟମ୍ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୦ ରନ୍ କରିଥିଲା । ଏହି ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୮.୧ ଓଭରରେ ହାସଲ କରିଥିଲା । ଦିଲ୍ଲୀର ବିଜୟରେ ମିଚେଲ୍ ମାର୍ଶ ଓ ଡେଭିଡ ୱାର୍ଣ୍ଣର ହିରୋ ସାଜିଥିଲେ ।
ରାଜସ୍ଥାନକୁ ଆରମ୍ଭରୁ ଝଟକା ଲାଗିଥିଲା । ପ୍ରାରମ୍ଭିକ ବ୍ୟାଟର ଶ୍ରୀକର ଭରତ ୨ଟି ବଲ୍ ସାମ୍ନା କରି କୌଣସି ରନ୍ କରିପାରି ନଥିଲେ । ସେ ପାଭଲିଅନକୁ ଫେରିଯିବା ପରେ ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ଟିମ୍ର ଦାୟିତ୍ୱ ତୁଲାଇଥିଲେ । ସେମାନେ ଦ୍ୱିତୀୟ ୱିକେଟ୍ ପାଇଁ ୧୪୩ ରନ୍ ଯୋଡ଼ିଥିଲେ । ୱାର୍ଣ୍ଣର ନିଜ ପାଳିରେ ବ୍ୟକ୍ତିଗତ ଭାବେ ୫୨ ରନ୍ ସଂଗ୍ରହ କରିଥିଲେ । ସେ ୪୧ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ସେହିପରି ମାର୍ଶ ୬୨ଟି ବଲ୍ ଖେଳି ୮୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ୫ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ଅଧିନାୟକ ଋଷଭ ପନ୍ତ ୨ଟି ଛକା ବଳରେ ୧୩ ରନ୍ କରିଥିଲେ । ସେ ୪ଟି ବଲ୍ ସାମ୍ନା କରିଥିଲେ ।