ଆଜିଠୁ ଆଇପିଏଲ୍‌-୧୪ର ୨ୟ ପର୍ଯ୍ୟାୟର ମ୍ୟାଚ, ଅଭିଯାନ ଆରମ୍ଭ କରିବେ ମୁମ୍ବାଇ-ଚେନ୍ନାଇ
Khabar Odisha:Sports-cricket-CSK-Vs-MI-match-today-in-IPL-2021-at-UAE

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରବିବାରକୁ ହେବାକୁ ଥିବା ମ୍ୟାଚରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ-୧୪)ର ୨ୟ ପର୍ଯ୍ୟାୟର ମ୍ୟାଚ ଆରମ୍ଭ ହେବ। ଏହି ଟି୨୦ ଲିଗ ଜରିଆରେ ଖେଳାଳିଙ୍କୁ ଟି୨୦ ବିଶ୍ବକପ ପୂର୍ବରୁ ୟୁଏଇର ପରିସ୍ଥିତିକୁ ବୁଝିବାକୁ ସୁଯୋଗ ମିଳିବ। ସୂଚନାଯୋଗ୍ୟ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ୩୧ ଥର ମ୍ୟାଚ ଖେଳାଯାଇଛି। ମୁମ୍ବାଇ ୧୯ଥର ମ୍ୟାଚ ଜିତିଥିବା ବେଳେ ଚେନ୍ନାଇ ୧୨ଟି ମ୍ୟାଚ ଜିତିଛି। 

ଭାରତରେ କୋଭିଡ-୧୯ର ୨ୟ ଲହର କାରଣରୁ ଆଇପିଏଲକୁ ଗତ ମେ’ ମାସରେ ସ୍ଥଗିତ କରିବାକୁ ପଡ଼ିଥିଲା। ସେହି ସମୟ ପର୍ଯ୍ୟନ୍ତ ମୋଟ ୨୯ଟି ମ୍ୟାଚ ଖେଳାଯାଇଥିଲା। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସଂକ୍ରମଣ ବୃଦ୍ଧି ହେବାରୁ ଟୁର୍ଣ୍ଣାମେଣ୍ଟକୁ ବାଧ୍ୟ ହୋଇ ସାମୟିକ ସମୟ ପାଇଁ ବନ୍ଦ କରିଦେଇଥିଲା। 

ବିସିସିଆଇକୁ ଆଇପିଏଲର ୨ୟ ପର୍ଯ୍ୟାୟର ମ୍ୟାଚ ଆୟୋଜନ କରିବା ଲାଗି ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଟିମରେ କୋଭିଡ-୧୯ ଚିହ୍ନଟ ହେବା ପରେ ବିସିସିଆଇ ଚିନ୍ତାରେ ପଡ଼ିଯାଇଥିଲା। ଭାରତ ଏବଂ ଇଂଲଣ୍ଡର ଯେଉଁ ଖେଳାଳି ଆଇପିଏଲରେ ଅଛନ୍ତି, ସେମା‌ନେ ସୁରକ୍ଷିତ ଭାବେ ୟୁଏଇ ପହଂଚିଯାଆନ୍ତୁ, ତାହା ଚିନ୍ତା କରୁଥିଲା। 

ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ୟୁଏଇରେ ଖେଳାଯାଇଥିଲା। ସେହି ସମୟରେ ୟୁଏଇରେ ମ୍ୟାଚ ଆୟୋଜନ କରିବାରେ କୌଣସି ଅସୁବିଧା ନଥିଲା। ତେଣୁ ଚଳିତ ଥର ମଧ୍ୟ ସେଠାରେ ସଫଳତାପୂର୍ବକ ମ୍ୟାଚ ଆୟୋଜନ ନେଇ ବିସିସିଆଇ ଆଶା କରିଛି। 

  

 

  • Tags:

Subscribe

National International State Sports Entertainment