ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅନ୍ତରୀଣ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟୋଫ୍ ଅଲାର୍ଡିସ କହିଛନ୍ତି, ତାଙ୍କ ପାଖରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଲାଗି ବ୍ୟାକ୍ଅପ୍ (୨ୟ) ପ୍ଲାନ ଅଛି । କିନ୍ତୁ ଏବେ ଦେଶରେ କୋଭିଡ-୧୯ ସଂକ୍ରମଣ ବଢୁଥିବାରୁ ଏହାକୁ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଇନାହିଁ ।
ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ କରାଯିବ । କିନ୍ତୁ କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି । କୋଭିଡ-୧୯ ବଢ଼ିଥିବା ବେଳେ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ଦର୍ଶକଙ୍କ ଅନୁପସ୍ଥିତିରେ ଶୁକ୍ରବାର ଚେନ୍ନାଇରେ ଆରମ୍ଭ ହେବ ।
ଜ୍ୟୋଫ୍ ଅଲାର୍ଡିସ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଅନେକ ଦେଶରେ କ୍ରିକେଟ ଖେଳାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ । ସଂଯୁକ୍ତ ଆରମ ଇମିରାତ ଗତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗର ଆୟୋଜନ କରିଥିଲା । କିନ୍ତୁ ଏଥର ଏହି ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଲାଗି ବ୍ୟାକଅପ ସ୍ଥଳ ହୋଇପାରେ ।