ମୁମ୍ବାଇ, ମେ ୧୯ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ରେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । କୋଲକାତା ନାଇଟ୍ ରାଇଡର୍ସ ଓ ଲଖନଉ ସୁପର ଜ୍ୟାଣ୍ଟଓ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା । ପୂର୍ବରୁ ପ୍ଲେଅଫ୍ରେ ପହଞ୍ଚି ସାରିଥିବା ଲଖନଉ ନିଜର ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ କୋଲକାତାକୁ ଚଳିତ ଆଇପିଏଲ୍ରେ ପ୍ଲେଅଫ ଖେଳିବାକୁ ସୁଯୋଗ ଦେଇନଥିଲା । କୋଲକାତା ଏହି ଜିତିବା ପାଇଁ ଆଉ ଏକମାତ୍ର ପାହାଚ ଚଢ଼ିବାକୁ ଥିବା ବେଳେ କେବଳ ଗୋଟିଏ କ୍ୟାଚ୍ ଟିମ୍ର ସ୍ୱପ୍ନକୁ ଚୁରମାର କରିଦେଇଥିଲା ।
ଲଖନଉ ପକ୍ଷରୁ ଖେଳିଥିବା ଏଭିନ ଲୁଇସ ଏହି କ୍ୟାଚ ଧରିଥିଲେ । କୋଲକାତାକୁ ଶେଷ ଓଭରରେ ମ୍ୟାଚ ଜିତିବା ପାଇଁ ୨୧ ରନ୍ ଦରକାର ଥିଲା । ସେହି ସମୟରେ କ୍ରିଜ୍ରେ ଥିଲେ ଯୁବ ବ୍ୟାଟର ରିଙ୍କୁ ସିଂହ । ପ୍ରଥମ ୪ଟିବ୍ଲକୁ ୪, ୬, ୬ ଓ ୨ ରନ୍ କରିଥିଲେ । ଶେଷ ୨ ବଲରେ କୋଲକାତାକୁ ଜିତିବା ପାଇଁ ୩ ରନ୍ ଦରକାର ଥିଲା । ଆଶା କରାଯାଉଥିଲା ଯେ, ରିଙ୍କୁ ଏହି ମ୍ୟାଚ୍କୁ ସହଜରେ କୋଲକାତାର ବ୍ୟାଗ୍ ଭିତରେ ପୁରାଇ ଦେବେ ।
ତେବେ ହଠାତ ପରିବର୍ତ୍ତନ ହୋଇଗଲା । ମାର୍କସ ଷ୍ଟୋଇନିସଙ୍କ ବଲ୍କୁ ରିଙ୍କୁ ଲମ୍ବା ସଟଁ ଖେଳି ମ୍ୟାଚ ଶେଷ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସର୍ଟ ବାଉଣ୍ଡ୍ରି ଆଡ଼କୁ ଯାଉଥିବା ବଲ ସିଧାସଳଖ ଏଭିନ ଲୁଇସଙ୍କ ହାତରେ ପଡ଼ିଲା । ଏହି ଠାରୁ ହିଁ କୋଲକାତା ହାତରୁ ମ୍ୟାଚ ଖସିଯାଇଥିଲା । ଶେଷ ବଲ୍ରେ ଉମେଶ ଯାଦବ ଷ୍ଟୋଇନିସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଲଖନଉ ୨ ରନ୍ରେ ମ୍ୟାଚ ଜିତିଥିଲା ।
ଲଖନଉ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରାରମ୍ଭିକ ବ୍ୟାଟର କ୍ୱିଣ୍ଟନ୍ ଡି’କକ୍ ଓ ଅଧିନାୟକ କେଏଲ୍ ରାହୁଲ ଅପରାଜିତ ରହି ୨୧୦ ରନ୍ କରିଥିଲେ । ଲଖନଉ କୌଣସି ୱିକେଟ୍ ନ ହରାଇ ଏକ ବିଶାଳ ସ୍କୋର କରିଥିଲା । ଡି’କକ୍ ୧୦ଟି ଚୌକା ଓ ସମାନ ପରିମାଣର ଛକା ବଳରେ ୧୪୦ ରନ୍ କରିଥିଲେ । ରାହୁଲ ୫୧ଟି ବଲ୍ ସାମ୍ନା କରି ୬୮ ରନ୍ କରିଥିଲେ । ସେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ ।