ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ବ୍ରିସବେନ୍ର ଦ ଗାୱା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆୟୋଜକ କଙ୍ଗାରୁ ଦଳ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ରବିିବାର ୩ୟ ଦିନରେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ୫ଟି ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଛି । ଭାରତ ନିଜର ପ୍ରଥମ ପାଳି ଜାରି ରଖିଥିବା ବେଳେ ରୋହିତ ଶର୍ମା (୪୪ ରନ୍), ଶୁଭମନ ଗିଲ (୭ରନ) ଓ ଚେତେଶ୍ୱର ପୂଜାରା (୨୫ରନ୍)ଙ୍କୁ ହରାଇଛି । ୱାଶିଂଟନ ସୁନ୍ଦର ଓ ଋଷଭ ପନ୍ତ ବ୍ୟାଟିଂ ଜାରି ରଖିଛନ୍ତି ।
ଏହା ପୂର୍ବରୁ ଘରୋଇ କଂଗାରୁ ଦଳ ମଜବୁତ ସ୍ଥିତିରେ ପହଂଚିଛି । ମ୍ୟାଚର ଆରମ୍ଭରୁ ଅଷ୍ଟ୍ରେଲିଆ ଦଳକୁ ଝଟକା ଲାଗିଥିଲା । ଦଳ ମାତ୍ର ୪ ରନରେ ନିଜର ପ୍ରଥମ ୱିକେଟ ଓ ୧୭ ରନ ବେଳକୁ ୨ୟ ୱିକେଟ ଭାବେ ୨ ଓପନର ଡେଭିଡ ୱାର୍ଣ୍ଣର ଓ ମାର୍କସ ହେରିସଙ୍କୁ ହରାଇଥିଲା । ମାର୍କସ ହେରିସ ୨୩ଟି ବଲ ଖେଳି ୫ ରନ କରିଥିଲେ । ସେହିପରି ୱାର୍ଣ୍ଣର ମାତ୍ର ୧ ରନ କରିଥିଲେ । ମାର୍କସ ଶାର୍ଦ୍ଦୁଲ ଠାକୁରଙ୍କ ବଲ ୱାଶିଂଟନ ସୁନ୍ଦରଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ । ମହମ୍ମଦ ସିରାଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ୱାର୍ଣ୍ଣର । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩୬୯ ରନ୍ ସଂଗ୍ରହ କରିଛି ।
କଙ୍ଗାରୁ ଦଳ ଯଦିଓ ଶସ୍ତାରେ ୨ଟି ୱିକେଟ ହରାଇଥିଲା, ଏହା ପରେ ଟିମର ଖେଳାଳିମାନେ ମଜବୁତ ଭାବେ ବ୍ୟାଟିଂ କରିଛନ୍ତି । ମାର୍ନୁସ ଲବୁସଚେଞ୍ଜ ୧୦୮ ରନ୍ କରିଥିବା ବେଳେ ଟିମ ପାଇନଙ୍କ ଅର୍ଦ୍ଧଶତକ, ମ୍ୟାଥ୍ୟୁ ୱାଡେଙ୍କ ୪୫ ରନ ଓ କେମରନ ଗ୍ରୀନଙ୍କ ୪୭ ରନ ଦଳର ରନ ସ୍କୋରକୁ ମଜବୁତ କରିପାରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୩୬ ରନ କରିଥିବା ବେଳେ ନାଥାନ ଲାୟନ୨୪ ରନ କରିଥିଲେ । ଭାରତୀୟ ବୋଲର ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ୩-୩ଟି ୱିକେଟ ମିଳିଥିବା ବେଳେ ମହମ୍ମଦ ସିରାଜକୁ ଗୋଟିଏ ୱିକେଟ ମିିଳିଥିଲା ।