ନୂଆଦିଲ୍ଲୀ: ପାକିସ୍ତାନ ସହ ଜାରି ଉତ୍ତେଜନା ମଧ୍ୟରେ ଭାରତୀୟ ଦଳର ତାରକା ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଟି-୨୦ ବିଶ୍ଵକପ୍ ପରେ ଟି-୨୦ ଫର୍ମାଟ୍ରୁ ଅବସର ଗ୍ରହଣ କରିଥିବା ରୋହିତଙ୍କୁ ଏବେ ଟେଷ୍ଟ କ୍ରିକେଟ୍ରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ ହିଟ୍ମ୍ୟାନ ଦିନିକିଆରେ ରୋହିତ ଖେଳିବା ଜାରି ରଖିବେ। ରୋହିତଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜାରି ରହିଥିଲା। ଆଉ ଇଂଲଣ୍ଡ ଗସ୍ତ ପୂର୍ବରୁ ହିଟ୍ମ୍ୟାନ ସନ୍ନ୍ୟାସ ଘୋଷଣା କରି ସଭିଙ୍କୁ ଚକିତ କରିଛନ୍ତି।
ଏହି ନିଷ୍ପତ୍ତି ସହିତ ରୋହିତ ଶର୍ମାଙ୍କ ୧୧ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟର ଉପରେ ପୂର୍ଣ୍ଣଛେଦ ପଡ଼ିଛି। ରୋହିତ ନିଜ ବୟାନରେ କହିଛନ୍ତି, ଆପଣ ସମସ୍ତଙ୍କୁ ଅବଗତ କରାଉଛି ଯେ, ମୁଁ ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଉଛି। ଲାଲ୍ ବଲ୍ ଫର୍ମାଟ୍ରେ ନିଜ ଦେଶର ପ୍ରତିନିଧିତ୍ଵ କରିବା ସବୁଠୁ ବଡ଼ ସମ୍ମାନର କଥା। ଏହି ସମୟରେ ଆପଣ ସମସ୍ତଙ୍କ ଯେଉଂ ଭଲ ପାଇବା ଓ ସମର୍ଥନ ମିଳିଛି, ଏଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଦିନିକିଆ କ୍ରିକେଟ୍ ଖେଳ ଜାରି ରଖିବି।
ରୋହିତ ୬୭ ଟେଷ୍ଟ ଖେଳିଥିବା ବେଳେ ୨୩ଟିରେ ଦଳର ନେତୃତ୍ଵ ନେଇଛନ୍ତି। ସେ ଟେଷ୍ଟରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସହ ୪୦.୫୭ ହାରରେ ମୋଟ୍ ୪୩୦୧ ରନ କରିଛନ୍ତି। ଟେଷ୍ଟରେ ୮୮ ଛକା ଓ ୪୭୩ ଚୌକା ସାମିଲ। ରୋହିତ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ନାଗପୁରରେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥାନ୍ତେ, ମାତ୍ର ଏହି ମ୍ୟାଚ୍ର ଟସ୍ ପଡ଼ିବାର କିଛି ସମୟ ପୂର୍ବରୁ ସେ ଆହତ ହୋଇଥିଲେ। ଏହା ପରେ ତିନି ବର୍ଷ ପରେ ୨୦୧୩ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ କୋଲକାତାର ଇଡେନ ଗାର୍ଡେ୍ନସରେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଡେବ୍ୟୁ ମ୍ୟାଚରେ ସେ ଦମଦାର ଶତକ ହାସଲ କରିଥିଲେ। ରୋହିତ ଶେଷ ଟେଷ୍ଟ ୨୦୨୪ ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳିଥିଲେ।
ରୋହିତ ଗତ କିଛି ମାସ ହେବ ଟେଷ୍ଟ କ୍ରିକେଟ୍ରେ ସଂଘର୍ଷ କରୁଥିଲେ। ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ବି ସେ ପୂରା ଫ୍ଲପ ହୋଇଥିଲେ। ପୁଣି ୨୦୨୪ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ସେ ଶୋଚନୀୟ ପ୍ରଦର୍ଶନ କରିଥିଲେ। ୨୦୨୪ରେ ୮ ଟେଷ୍ଟ ଖେଳି ୧୦.୯୩ ହାରରେ ରନ କରିଥିଲେ। ତାଙ୍କ ଅଧିନାୟକତ୍ଵରେ ଭାରତ ଘରୋଇ ମାଟିରେ ପ୍ରଥମ ଥର ଇଂଲଣ୍ଡ ବିପକ୍ଷରେ ୦-୩ରେ କ୍ଲିନ ସୁଇପର ଶିକାର ହୋଇଥିଲା। ବର୍ଡର-ଗାଭାସ୍କର ଟ୍ରଫିରେ ବି ଭାରତ ୧-୩ରେ ସିରିଜ୍ ହାରିଥିଲା।