ନୂଆଦିଲ୍ଲୀ: ୪ ବର୍ଷରେ ଥରେ ଆୟୋଜିତ ହେଉଥିବା କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ-୨୦୨୪ ରବିବାର ରାତି ଶେଷ ହୋଇଛି। ଗତ ୧୫ ଦିନ ଧରି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସାରା ବିଶ୍ୱର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତେ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନକୁ ସାକାର କରିବାକୁ ଆସିଥିଲେ। ଏଥିରେ ଭାରତର ୧୧୭ ଜଣ ଖେଳାଳି ମଧ୍ୟ ସାମିଲ ହୋଇଥିଲେ। ଏହି କ୍ରୀଡ଼ାରେ ଭାରତ ନିଜର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ପଦକ ଜିତିଥିଲା। ଅଲିମ୍ପିକ୍ସ ପତାକା ତଳକୁ ଓହ୍ଲାଇ ଦିଆଯାଇଛି। ପରବର୍ତ୍ତୀ ଅଲିମ୍ପିକ୍ସ ୨୦୨୮ରେ ଆମେରିକାର ଲସ୍ଏଞ୍ଜେଲସରେ ଅନୁଷ୍ଠିତ ହେବ। ଲସ୍ଏଞ୍ଜେଲସ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବ।
ଉଦ୍ଯାପନୀ ଉତ୍ସବରେ ଖେଳାଳି, ପ୍ରଶଂସକ, ଅଧିକାରୀ, ହଜାର ହଜାର ଘରୋଇ ଦର୍ଶକ, ସ୍ବେଚ୍ଛାସେବୀ ତଥା ଆୟୋଜକ ଦେଶ ଫାନ୍ସର ରାଷ୍ଟ୍ରମୁଖ୍ୟ ଇମାନୁଏଲ ମାକ୍ରନ୍, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାକ୍ ଯୋଗ ଦେଇଥିଲେ। ଦୁଇ ସପ୍ତାହ ଧରି ମିନି ବିଶ୍ବରେ ପରିଣତ ହୋଇଥିବା ପ୍ୟାରିସ୍ ଆବେଗଭରା ପରିବେଶରେ ଅଲିମ୍ପିଆନ୍ଙ୍କୁ ବିଦାୟ ଦେଇଛି। ସମସ୍ତେ ନିଆରା ସ୍ମୃତି ଏବଂ ବିଶ୍ବ ଭାତୃତ୍ବର ସଂକଳ୍ପ ସହ ଅଶ୍ରୁଳ ଆଖିରେ ପ୍ୟାରିସ୍କୁ ଅଲବିଦା କହିଛନ୍ତି। ଖେଳାଳିମାନେ ଶେଷ ଥର ପାଇଁ ଏକାଠି ହୋଇ ଅଲିମ୍ପିକ୍ସ ଦେଇଥିବା ଉତ୍କର୍ଷ, ସମ୍ମାନ ଓ ବନ୍ଧୁତ୍ବର ବାର୍ତ୍ତା ବାଣ୍ଟିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ସେନ୍ ନଦୀରେ ହେଇଥିଲା ବେଳେ ସ୍ଥାନୀୟ ଏକ ଷ୍ଟାଡିୟମ୍ ଉଦ୍ଯାପନୀ ହୋଇଛି। ପ୍ରାୟ ୮୦ ହଜାର ଲୋକ ଏହି ସମାରୋହର ମୁକସାକ୍ଷୀ ହୋଇଛନ୍ତି।
ଜୁଲାଇ ୨୬ରେ ଉଦ୍ଘାଟିତ ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ଦିବସ ଷ୍ଟାଡି ଡି’ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିଲା। ଏହି ମନ୍ତ୍ରମୁଗ୍ଧକର ଉଦ୍ଯାପନୀ ଉତ୍ସବରେ ବିଲି ଇଲିସ୍, ସ୍ନୁପ୍ ଡଗ୍, ରେଡ୍ ହଟ୍ ଚିଲି ପିପର୍ସ ଏବଂ ପାଞ୍ଚ ଥର ଗ୍ରାମୀ ପୁରସ୍କାର ବିଜୟିନୀ ଏଚ୍. ଇ.ଆର୍ଙ୍କ ଭଳି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସଂଗୀତକାରଙ୍କ ପରିବେଷଣ ଖେଳାଳି ଓ ଦର୍ଶକଙ୍କ ଉଲ୍ଲସିତ କରିଥିଲା। ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ଭ୍ରମ ସୃଷ୍ଟି କରୁଥିବା ଝଲମଲ ଲେଜର ଲାଇଟ୍, ଆଖି ଝଲସେଇ ଦେଲା ଭଳି ଆତସବାଜି ସହ ୧୦୦ରୁ ଅଧିକ କଳାକାରଙ୍କ ରଙ୍ଗବେରଙ୍ଗ ତଥା ନିଆରା ନୃତ୍ୟ, ସର୍କସ ଦୋଳିରେ ଦୁଃସାହସିକ କଳା କୌଶଳ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ଘମାଘୋଟ ଲଢ଼େଇରେ ଆମେରିକା ପୁଣି ଥରେ ପଦକ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତ ୪୮ରୁ ୭୧ତମ ସ୍ଥାନକୁ ଖସିଛି। ହେଲେ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ଆହୁରି ଭଲ କରିବାର ଆତ୍ମବିଶ୍ବାସ ଜାଗ୍ରତ ହୋଇଛି। ଫ୍ରାନ୍ସର ପ୍ରତିଷ୍ଠିତ ଅଭିନେତା ଓ କଳା ନିର୍ଦ୍ଦେଶକ ଥୋମାସ ଜୋଲିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ହକି ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶ ଏବଂ ସଫଳ ଶୁଟର୍ ମନୁ ଭାକର ନେଇଥିଲେ। ପାରମ୍ପରିକ ପୋଷାକରେ ଭାରତୀୟ ଖେଳାଳି ଓ ଅଧିକାରୀମାନେ ପରେଡ୍ରେ ଅଂଶଗ୍ରହଣ କରିଥିଲେ।