ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ମହିଳା ବିଶ୍ୱକପ୍ ଚାମ୍ପିଅନ୍ ଦଳକୁ ଭେଟିଛନ୍ତି। ଏହି ସମୟରେ ସେ ବିଶ୍ଵ ବିଜେତା ଖେଳାଳିଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତୀୟ ମହିଳା ଦଳ ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ସାକ୍ଷାତ ସମୟରେ ଅଧିନାୟକ ୨୦୧୭ରେ ଟ୍ରଫି ବିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ମୁହୂର୍ତ୍ତକୁ ମନେ ପକାଇଥିଲେ। ସ୍ମୃତି ମନ୍ଧାନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ସମୟରେ ଟିମ୍ ଇଣ୍ଡିଆ ପିଏମ ମୋଦୀଙ୍କୁ ଖାସ ଉପହାର ଦେଇଛନ୍ତି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ପ୍ରତି ଖେଳାଳିଙ୍କ ସହ ଭେଟି ଭାବର ଆଦାନ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା. ବିଶ୍ଵକପରେ ଲଗାତାର ତିନୋଟି ପରାଜୟ ଏବଂ ସୋସିଆଲ ମିଡିଆ ଟ୍ରୋଲିଂର ସମ୍ମୁଖୀନ ହେବା ପରେ ବି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ ଯେ ଟିମ୍ ଇଣ୍ଡିଆ ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ, ହରମନପ୍ରୀତ ତାଙ୍କୁ ପଚାରିଥିଲେ ସର୍ବଦା ବର୍ତ୍ତମାନକୁ ସେ କିପରି ବଞ୍ଚନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ତାଙ୍କ ଜୀବନର ଏକ ଅଂଶ ଭାବେ ଅଭ୍ୟାସ ପାଲଟିଯାଇଛି। ପ୍ରଧାନମନ୍ତ୍ରୀ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ହରଲିନ୍ ଦେଓଲଙ୍କ କ୍ୟାଚ୍ ମଧ୍ୟ ମନେ ପକାଇଥିଲେ, ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ମଙ୍ଗଳବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ଷ୍ଟାର ଏୟାର ବିମାନ (S5 8328) ଯୋଗେ ଦିଲ୍ଲୀରେ ପହଞ୍ଚିଥିଲା। ଦିଲ୍ଲୀରେ, ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ହୋଟେଲ ଏବଂ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନିଆଯାଇଥିଲା। ଏହି ସାକ୍ଷାତ ସମୟରେ ଭାରତୀୟ ମହିଳା ଦଳ ପ୍ରଧାନମନ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର ଜର୍ସି ଉପହାର ଦେଇଛନ୍ତି। ଏଥିରେ ସମସ୍ତ ଖେଳାଳିଙ୍କ ଦସ୍ତଖତ ରହିଛି।
ସ୍ମୃତି ମନ୍ଧାନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରେରଣା ଦେଇଛନ୍ତି ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଆଜି ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ କିପରି ଭଲ କରୁଛନ୍ତି ତାହା ସେ ବ୍ୟାଖ୍ୟା କରିଥିଲେ। ଦୀପ୍ତି ଶର୍ମା କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିଲେ। ଦୀପ୍ତିଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା।
Also read: Asia Cup 2025: ଦୁଇଟି ମ୍ୟାଚ୍ରୁ ବ୍ୟାନ ହେଲେ ହାରିସ ରୌଫ, ସୂର୍ଯ୍ୟ-ବୁମରାଙ୍କୁ ବି ମିଳିଲା ଦଣ୍ଡ