ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଷ୍ଟୋଇନିସଙ୍କୁ ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନରେ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଥିଲା । ହେଲେ ଏହା ପୂର୍ବରୁ ଦିନିକିଆରୁ ଅବସର ଘୋଷଣା କରିଛନ୍ତି ଷ୍ଟୋଇନିସ । ଏହି ଅଲରାଉଣ୍ଡର ବର୍ତ୍ତମାନ ଏସଏ ୨୦ରେ ଡର୍ବାନ ସୁପର ଜାଏଣ୍ଟଓ ପକ୍ଷରୁ ଖେଳୁଛନ୍ତି ।
ଷ୍ଟୋଇନିସଙ୍କ ସନ୍ନ୍ୟାସ ପରେ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ବଦଳ ଖେଳାଳି ଘୋଷଣା କରିବ । ସମସ୍ତ ଦଳ ଫେବୃଆରୀ ୧୨ ତାରିଖ ସୁଦ୍ଧା ନିଜ ଦଳରେ ପରିବର୍ତ୍ତନ କରି ପାରିବେ । ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରେ ଆରମ୍ଭ ହେଉଛି ।
୨୦୨୩ରେ ଭାରତରେ ଖେଳା ଯାଇଥିବା ଦିନିକିଆ ବିଶ୍ୱକପରେ ଚାମ୍ପିଅନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଷ୍ଟୋଇନିସ । ଦିନିକିଆରୁ ଅବସର ଘୋଷଣା କରିଥିଲେ ହେଁ ଷ୍ଟୋଇନିସ ଅଷ୍ଟ୍ରେଲିଆ ପକ୍ଷରୁ ଟି-୨୦ ଖେଳିବା ଜାରି ରଖିବେ । ନିଜର ସନ୍ନ୍ୟାସ ଘୋଷଣାକୁ ନେଇ ଏହି ତାରକା ଅଲରାଉଣ୍ଡର କହିଛନ୍ତି ଯେ, ଅଷ୍ଟ୍ରେଲିଆ ପାଇଁ ଦିନିିକିଆ କ୍ରିକେଟ୍ ଖେଳିବା ବେଶ ଚମତ୍କାର ରହିଥିଲା । ଦଳ ପାଇଁ ବିତାଇଥିବା ପ୍ରତି ସମୟ ମୋ ପାଇଁ ସ୍ମରଣୀୟ । ଉଚ୍ଚସ୍ତରରେ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ବଡ ଗର୍ବର ବିଷୟ, ଯାହାକୁ ମୁଁ ସର୍ବଦା ମନେ ରଖିବି ।
ସେ କହିଛନ୍ତି, ଏହା ମୋ ପାଇଁ ସହଜ ନିଷ୍ପତ୍ତି ନ ଥିଲା । କିନ୍ତୁ ମୋତେ ଲାଗିଲା ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିବା ଓ ନିଜ କ୍ୟାରିୟର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଗୁରୁତ୍ୱ ଦେବା ଏହା ମୋ ପାଇଁ ଉଚିତ୍ ସମୟ । କୋଚ୍ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କ ସହ ମୋର ବହୁତ ଭଲ ସଂପର୍କ । ମୁଁ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ସମୟରେ ଦଳକୁ ସମର୍ଥନ କରିବି ।
ସୂଚନାଯୋଗ୍ୟ, ଷ୍ଟୋଇନିସ ନିଜ କ୍ୟାରିୟରରେ ୭୧ ଦିନିକିଆ ଖେଳିଛନ୍ତି । ଏଥିରେ ୬୪ ଇନିଂସରୁ ୨୬.୬୯ ହାରରେ ୧୪୯୫ ରନ କରିଛନ୍ତି । ଏଥିରେ ଏକ ଶତକ ଓ ଛଅ ଅର୍ଦ୍ଧଶତକ ସାମିଲ । ତାଙ୍କର ସର୍ବୋଚ୍ଚ ଦିନିକିଆ ସ୍କୋର ହେଉଛି ଅପରାଜିତ ୧୪୬ ରନ । ୬୪ ଇନିଂସରେ ବୋଲିଂ କରି ସେ ୪୩.୧୨ ହାରରେ ୪୮ ୱିକେଟ୍ ନେଇଛନ୍ତି । ବୋଲିଂରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୩/୧୬ ରହିଛି ।