ବେଙ୍ଗାଲୁରୁ: ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଯାତ୍ରା ଅବ୍ୟାହତ ରହିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆଜି ଖେଳା ଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି। କେଏଲ ରାହୁଲ ଦମଦାର ବ୍ୟାଟିଂ କରି ନିଜ ଦମରେ ଦିଲ୍ଲୀକୁ ଜିତାଇଛନ୍ତି। ଏଥିସହ ୪ଟି ମ୍ୟାଚ୍ରେ ୪ ବିଜୟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଏକମାତ୍ର ଦଳ ଭାବେ ଆଇପିଏଲ୍ ୨୦୨୪ରେ ଅପରାଜୟ ରହିଛି ଅକ୍ଷର ପଟେଲ୍ଙ୍କ ଦଳ। ଅନ୍ୟପଟେ ନିଜର ପଞ୍ଚମ ମ୍ୟାଚ୍ରୁ ଦ୍ଵିତୀୟ ପରାଜୟ ଭୋଗି ତୃତୀୟ ସ୍ଥାନରେ ରହିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁ ଦ୍ୱାରା ଧାର୍ଯ୍ୟ ୧୬୪ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୭.୨ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଛି । କେଏଲ ରାହୁଲ ଅପରାଜିତ ୯୩ ରନର ଅପରାଜିତ ଇନିଂସ ଖେଳିଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା । ମାତ୍ର ୪ ଓଭରରେ ଦଳ ୬୧ ରନ କରିଥିଲା । ଫିଲ ସଲ୍ଟ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୭ ବଲରୁ ୩୭ ରନ କରିଥିଲେ । ଦଳ ମିଳିଥିବା ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲା । ସଲ୍ଟଙ୍କ ଆଉଟ୍ ସହ ବେଙ୍ଗାଲୁରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ବିରାଟ କୋହଲି ୨୨ ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟକ୍ରମରେ ରଜତ ପାଟିଦାର ୨୫ ରନ କରିଥିଲେ । ଶେଷ ଆଡକୁ ଟିମ୍ ଡେଭିଡ ୩୭ ରନ କରିବାରୁ ଆରସିବି ୭ ୱିକେଟ୍ ହରାଇ ୧୬୩ ରନ କରି ପାରିଥିଲା । ବୋଲିଂରେ ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ଓ ଭିବ୍ରଜ ନିଗମ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିକାର କରିଥିଲେ ।
ଜବାବରେ ଦିଲ୍ଲୀର ଆରମ୍ଭ ଦୟନୀୟ ଥିଲା । ଦଳର ପ୍ରଥମ ତିନି ବ୍ୟାଟର ଫାଫ ଡୁ ପ୍ଲେସିସ, ଜେକ ଫ୍ରେଜର ମ୍ୟାକଗର୍ଗ ଓ ଅଭିଷେକ ପୋରେଲ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଅଧିନାୟକ ଅକ୍ଷର ପଟେଲ୍ କେବଳ ୧୫ ରନ କରି ଆଉଟ୍ ହୋଇଥିଲେ । ୫୮ ରନରେ ୪ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଦିଲ୍ଲୀର ଇନିଂସ ସମ୍ଭାଳିଥିଲେ କେଏଲ ରାହୁଲ । ତାଙ୍କ ସହ ଯୋଗ ଦେଇଥିଲେ ଟ୍ରିଷ୍ଟନ ଷ୍ଟବ୍ସ । ଉଭୟ ଅବିଭାଜିତ ପଞ୍ଚମ ୱିକେଟ୍ରେ ୧୧୧ ରନର ଶତକୀୟ ଭାଗିଦାରୀ ଦିଲ୍ଲୀକୁ ସହଜ ବିଜୟ ଦେଇଛନ୍ତି । ବିଶେଷ କରି କେଏଲ ରାହୁଲ ୫୩ ବଲରୁ ୯୩ ରନର ଚମତ୍କାର ଇନିଂସ ଖେଳି ଦଳକୁ ନିଜ ଦମରେ ଜିତାଇଛନ୍ତି ।