ନୂଆଦିଲ୍ଲୀ: ଓ୍ଵିକେଟ୍ କିପର ବ୍ୟାଟର ଇଶାନ କିଶନ ଘରୋଇ କ୍ରିକେଟ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଲୀପ ଟ୍ରଫିର ପ୍ରଥମ ମ୍ୟାଚ୍ ଆହତ କାରଣରୁ ଖେଳି ପାରି ନ ଥିବା ଇଶାନ ଦ୍ଵିତୀୟ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବା ମାତ୍ରେ ଦମଦାର ଶତକ ଅର୍ଜନ କରିଛନ୍ତି। ସେ ଏହି ମ୍ୟାଚ୍ରେ ଜଣେ ବ୍ୟାଟର ଭାବେ ଖେଳିଛନ୍ତି। କାରଣ ଓ୍ଵିକେଟ୍ କିପର ଭାବେ ଅଭିଷେକ ପୋରେଲ ଖେଳୁଛନ୍ତି। ଏହି ମ୍ୟାଚ୍ରେ ଇଶାନ ନମ୍ବର ୪ରେ ବ୍ୟାଟିଂ କରି ଦଳ ପାଇଁ ଶତକୀୟ ଇନିଂସ ଖେଳିଛନ୍ତି।
ଇଶାନ କିଶନ ୧୨୦ ବଲରୁ ୧୪ ଚୌକା ଓ ୨ ଛକା ଜରିଆରେ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସପ୍ତମ ଶତକ ପୂରଣ କରିଛନ୍ତି। ଦଳର ଅଧିନାୟକ ରିଟାୟର୍ଡ ହଟ୍ ହେବା ପରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ଇଶାନ। ସେ ବାବା ଇନ୍ଦ୍ରଜିତଙ୍କ ସହ ଇନିଂସକୁ ଆଗକୁ ବଢାଇବା ସହିତ ଦଳ ପାଇଁ ଶତକ ଅର୍ଜନ କରିଛନ୍ତି। ଇଶାନ କିଶନ ପ୍ରଥମ ମ୍ୟାଚ୍ରେ ଆହତ କାରଣରୁ ଖେଳି ପାରି ନ ଥିଲେ। ପୁଣି ଦ୍ଵିତୀୟ ମ୍ୟାଚ୍ ପାଇଁ ଫିଟ୍ ନ ଥିଲେ। ମାତ୍ର ମ୍ୟାଚର ଠିକ୍ ପୂର୍ବରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।
ତାଙ୍କର ଏହି ଶତକ ବଳରେ ଇଣ୍ଡିଆ ସି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୩୫୭ ରନ କରିଛି। ଇଶାନଙ୍କ ବ୍ୟତୀତ ବାବା ଇନ୍ଦ୍ରଜିତ ୭୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ରିଟାୟର୍ଡ ହୋଇଥିବା ଅଧିନାୟକ ଋତୁରାଜ ଗାଏକ୍ଵାଡ କ୍ରିଜକୁ ଆସି ୪୬ ରନରେ ଅପରାଜିତ ଅଛନ୍ତି। ରଜତ ପାଟିଦାର ୪୦ ରନ ଓ ସାଇ ସୁଦର୍ଶନ ୪୩ ରନ କରିଛନ୍ତି।
ସୂଚନାଯୋଗ୍ୟ, ଇଶାନ କିଶନ ଭାରତ ପାଇଁ ୨ଟି ଟେଷ୍ଟ , ୨୭ ଦିନିକିଆ ଓ ୩୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ କ୍ରିକେଟ୍ରେ ସେ ଗୋଟିଏ ଶତକ ହାସଲ କରିଛନ୍ତି, ଯାହା ଦ୍ଵିଶତକ ଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍ର ୫୦ ମ୍ୟାଚ୍ରୁ ୬ ଶତକ ଏବଂ ଟି-୨୦ ଅନ୍ତର୍ଜାତୀୟ ମୁକାବିଲ ୬ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଆଜିର ଶତକ ପରେ କଣ ସେ ଭାରତୀୟ ଦଲକୁ ପ୍ରତ୍ୟାବର୍ତ୍ତନ କରିବେ ତାହା ଦେଖିବା ବାକି ରହିଲା।