ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ରବିବାର ନିଜର ଦ୍ଵିତୀୟ ମୁକାବିଲା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ଭାରତ ଓ ନାମିବ୍ୟା ମଧ୍ୟରେ ଟି-୨୦ ବିଶ୍ଵକପର ମ୍ୟାଚ୍ ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନାମିବ୍ୟା ବିପକ୍ଷ ମ୍ୟାଚ୍ ପୂର୍ବରୁ ପୂରା ଟିମ ପାଇଁ ଏକ ସ୍ଵତନ୍ତ୍ର ରାତ୍ରଭୋଜନ ଆୟୋଜନ କରିଛନ୍ତି। ଭାରତ ନିଜର ପ୍ରଥମ ମ୍ୟାଚ୍ରେ ଆମେରିକାକୁ ୨୯ ରନରେ ହରାଇଥିଲା।
ଏହି ରାତ୍ରଭୋଜନରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରାଙ୍କ ସହ ଅନେକ ଖେଳାଳି ସାମିଲ୍ ଥିଲେ। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଗମ୍ଭୀରଙ୍କ ଘରେ ପହଞ୍ଚି ରାତ୍ରଭୋଜନରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ଗମ୍ଭୀରଙ୍କ କୋଚିଂ ସମୟରେ ଯେବେ ବି ଭାରତୀୟ ଦଳର ଦିଲ୍ଲୀରେ ମ୍ୟାଚ୍ ଖେଳିଥାଏ, ତା ପୂର୍ବରୁ ଗମ୍ଭୀର ଦଳର ଖେଳାଳିଙ୍କୁ ସ୍ଵତନ୍ତ୍ର ଭୋଜନ ପାଇଁ ଆମନ୍ତ୍ରିତ କରିଥାନ୍ତି।
ଉଲ୍ଲେଖନୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵ ଇନିଂସ ପରେ ବୋଲରଙ୍କ ଶାଣିତ ବୋଲିଂ ଦମରେ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ପ୍ରଥମ ମ୍ୟାଚରେ ଆମେରିକାକୁ ୨୯ ରନରେ ହରାଇଛି। ବିଜୟ ସହ ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ଭାରତ ଦ୍ଵାରା ଧାର୍ଯ୍ୟ ୧୬୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆମେରିକା ୮ ଓ୍ଵିକେଟ୍ ହରାଇ ୧୩୨ ରନ କରି ପାରିଥିଲା।
ଶୁଭମ ରଞ୍ଜନେ ୩୭ ରନ, ସଞ୍ଜୟ କ୍ରିଷ୍ଣାମୂର୍ତ୍ତି ୩୭ ରନ ଓ ମିଲିନ୍ଦ କୁମାର ୩୪ ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ବୋଲିଂରେ ମହମ୍ମଦ ସିରାଜ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅର୍ଶଦୀପ ସିଂହଙ୍କୁ ୨ଟି ଓ୍ଵିକେଟ୍ ମିଳିଥିଲା। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ସୂର୍ଯ୍ୟଙ୍କ ଅପରାଜିତ ୮୪ ରନ ବଳରେ ୧୬୧ ରନ କରି ପାରିଥିଲା। ଭାରତ ଫେବୃଆରୀ ୧୨ରେ ନିଜର ଦ୍ଵିତୀୟ ମ୍ୟାଚରେ ନାମିବ୍ୟାକୁ ଭେଟିବ।
Also read: ୮ ରାଜ୍ୟର ବଡ଼ ବୈଠକ ଡକାଇଲେ ଖଡ଼ଗେ-ରାହୁଲ, କେନ୍ଦ୍ର ବିରୋଧରେ ତିଆରି ହେବ ସ୍ଵତନ୍ତ୍ର ରଣନୀତି