ଭାରତୀୟ ଦଳ ଜିମ୍ବାୱେ ବିପକ୍ଷ ଚତୁର୍ଥ ମ୍ୟାଚରେ ବିଜୟ ହାସଲ କରିଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୪-୧ ରେ ସିରିଜ ଜିତିଛି ଭାରତ । ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳୁଥିବା ଯୁବ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ସହଜ ବିଜୟ ହାସଲ କରିଛି । ଏହା ସହ ଶିବମ ଦୁବେଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।
ତେବେ ପ୍ରଥମ ମ୍ୟାଚକୁ ଛାଡିଦେଲା ପରେ ଅନ୍ୟ ସବୁ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେ ଉପରେ ଭାରି ପଡିଥିଲା । ପ୍ରଥମ ମ୍ୟାଚରେ ପରାଜୟ ସତ୍ୱେ ଭାରତୀୟ ଖେଳାଳି ଶେଷ ୪ ଟି ମ୍ୟାଚରେ ବିଜୟ ହାସଲ କରିଥିଲେ । ତେବେ ୪ ଟି ମ୍ୟାଚରେ ଭାରତର ୪ ଟି ଭିନ୍ନ ଖେଳାଳି ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ । ଦ୍ଵିତୀୟ ମ୍ୟାଚରେ ବିସ୍ଫୋଟକ ଶତକ ସହ ଅଭିଶେଖ ଶର୍ମା ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ । ତୃତୀୟ ମ୍ୟାଚରେ ୱାସିଂଟନ ସୁନ୍ଦର , ଚତୁର୍ଥ ମ୍ୟାଚରେ ୟଶସ୍ଵୀ ଜେସୱାଲ ଓ ଶେଷ ମ୍ୟାଚରେ ଶିବମ ଦୁବେ ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ ।
ତେବେ ସିରିଜର ଶେଷ ମ୍ୟାଚରେ ପ୍ରଥମ ଟସ୍ ଜିତିଥିଲେ ଜିମ୍ବାୱେର ଅଧିନାୟକ ସିକନ୍ଦର ରାଜା । ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲେ ଏବଂ ଜିମ୍ବାୱେ ବୋଲର ମଧ୍ୟ ପାୱାରପ୍ଲେରେ ଉତ୍ତମ ବୋଲିଂର ପ୍ରଦର୍ଶନ କରିଥିଲେ । ପାୱାରପ୍ଲେରେ ଭାରତ ୩ ଟି ୱିକେଟ୍ ହରାଇଥିଲେ ମଧ୍ୟ ସଞ୍ଜୁ ସାମସନ ଏବଂ ରିୟାନ ପରାଗଙ୍କ ମଧ୍ୟରେ ଭାରତୀୟ ଦଳ ୧୦୫ ରନରେ ପହଞ୍ଚିଥିଲା । ଭାରତ ପକ୍ଷର ସର୍ବାଧିକ ସଞ୍ଜୁ ସାମସନ ୫୮ ରନ ସଂଗ୍ରହ କରିଥିଲେ । ଏହାସହ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୭ ରନ ସଂଗ୍ରହ କରିଥିଲା ।
ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲର ଜିମ୍ବାୱେ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ୧୮.୩ ଓଭରରେ ୧୨୫ ରନରେ ଜିମ୍ବାୱେ ସମସ୍ତ ୱିକେଟ୍ ହରାଇଥିଲା । ମୁକେଶ କୁମାର ୪ ଟି ୱିକେଟ୍ ନେଇଥିବାବେଳେ ଶିବମ ଦୁବେ ୨ ଟି, ଅଭିଶେଖ ଶର୍ମା, ତୁଷାର ଦେଶପାଣ୍ଡେ ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।