ରାଜକୋଟ୍: ଭାରତ ଦ୍ଵିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୭ ୱିକେଟରେ ପରାସ୍ତ ହୋଇଛି। ଏହା ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି। ଡାରିଲ ମିଚେଲ ଶତକ ମାରି କିଓ୍ଵି ଦଳକୁ ସହଜ ବିଜୟ ଦେଇଛନ୍ତି। ରାଜକୋଟରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୮୪ ରନ୍ କରିଥିଲା। ଜବାବରେ କିଓ୍ଵି ୪୮ତମ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି। ଏବେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ।
ଟସ୍ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ଉଭୟ ଏହାକୁ ବଡ଼ ସ୍କୋର କରିପାରି ନଥିଲେ। ଅଧିନାୟକ ଶୁଭମନ ଗିଲ୍ ୫୬ ରନ୍ କରିଥିଲେ। ଶ୍ରେୟସ ଆୟର ମଧ୍ୟ ଏହି ମ୍ୟାଚ୍ରେ ବିଫଳ ହୋଇଥିଲେ, କିନ୍ତୁ କେଏଲ୍ ରାହୁଲ ଏକାକୀ ଅପରାଜିତ ୧୧୨ ରନ କରି ଟିମ୍ ଇଣ୍ଡିଆକୁ ୨୮୪ ରନ୍ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଏହା ରାହୁଲଙ୍କ ଦିନିକିଆ କ୍ୟାରିୟରର ୮ମ ଶତକ ଥିଲା।
ବିଜୟ ଛଡ଼ାଇ ନେଲେ ଡାରିଲ ମିଚେଲ୍
ନ୍ୟୁଜିଲାଣ୍ଡ ୫୦ ରନ କରିବା ପୂର୍ବରୁ ୨ ୱିକେଟ୍ ହରାଇଥିଲା। ଆରମ୍ଭରୁ ଭାରତୀୟ ବୋଲର ନ୍ୟୁଜିଲାଣ୍ଡକୁ ଚାପରେ ରଖିଥିଲେ। ତଥାପି ଡାରିଲ ମିଚେଲ ଏବଂ ୱିଲ ୟଙ୍ଗ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ସୁଯୋଗ ନ ଦେଇ ଦ୍ରୁତ ଗତିରେ ରନ ସଂଗ୍ରହ କରି ଚାଲିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୧୬୨ ରନ ଯୋଡ଼ିଥିଲେ। ଏହି ଭାଗୀଦାରୀ ମ୍ୟାଚ୍ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୱିଲ ୟଙ୍ଗ ୮୭ ରନ କରି ଆଉଟ ହୋଇଥିଲେ। କିନ୍ତୁ ଡାରିଲ ମିଚେଲ ଅନ୍ୟ ପାର୍ଶ୍ଵରେ ଇନିଂସ ସମ୍ଭାଳିଥିଲେ। ସେ ୧୧୭ ବଲରୁ ୧୧ ଚୌକା ଏବଂ ଦୁଇଟି ଛକା ମାରି ୧୩୧ ରନ କରିଥିଲେ। ଭାରତ ପାଇଁ, କୁଲଦୀପ ଯାଦବ ମହଙ୍ଗା ପ୍ରମାଣିତ ହୋଇଥିଲେ। ସେ ଗୋଟିଏ ୱିକେଟ୍ ନେଇଥିଲେ ହେଁ ୧୦ ଓଭରରେ ୮୨ ରନ ଦେଇଥିଲେ। ପ୍ରସିଦ୍ଧ କୃଷ୍ଣ ଏବଂ ହର୍ଷିତ ରାଣା ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେଇଛନ୍ତି।
Also read: ଇଣ୍ଡିଆ ଓପନ୍-୨୦୨୬ରୁ ଓହରିଲେ ବିଶ୍ୱର ୩ ନଂ ବ୍ୟାଡମିଣ୍ଟନ୍ ଖେଳାଳୀ, କାରଣ ଦିଲ୍ଲୀ ପ୍ରଦୂଷଣ